ମୁମ୍ବାଇ : ଜୁନ ୧୪ ସକାଳ ଥିଲା ବଲିଉଡ୍ ଇଣ୍ଡଷ୍ଟ୍ରି ତଥା ସାରା ଦେଶବାସୀଙ୍କ ପାଇଁ ଶୋକଭରା ସକାଳ । ଲୋକପ୍ରିୟ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀରେ ଝୁଲିଯାଇଥିଲେ ସେଦିନ । ଆତ୍ମହତ୍ୟାର କାରଣ ତାଙ୍କ ମାନସିକ ଚାପ ବୋଲି କୁହାଯାଉଥିଲାବେଳେ ତାଙ୍କ ମାନସିକ ରୋଗର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ପୋଲିସ ପଚରାଉଚରା ଜାରି ରଖିଛି । ତେବେ ସୁଶାନ୍ତଙ୍କ ଉଦାସୀନତାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କୁହାଯାଉଛି ଯେ ସେ ତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ବିରକ୍ତ ଥିଲେ ।
ସଞ୍ଜୟ ନିରୂପମଙ୍କ ସମେତ ଅନ୍ୟ ବ୍ୟକ୍ତିମାନେ ବି ଲେଖି ଜଣେଇଛନ୍ତି ଯେ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ଫିଲ୍ମ “ଛିଛୋରା” ପରେ ସୁଶାନ୍ତଙ୍କ ହାତରୁ ୭ ଟି ଫିଲ୍ମ ଚାଲି ଯାଇଥିଲା । କେବଳ ଗୋଟିଏ ଫିଲ୍ମ “ଦିଲ୍ ବେଚାରା” ଥିଲା, ଯେଉଁଥିରେ ସେ ନୂଆ ଅଭିନେତ୍ରୀ ସଞ୍ଜନା ସାଙ୍ଗୀଙ୍କ ସହ କାମ କରିଥିଲେ ।
ଦ୍ୱିତୀୟରେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅନେକ ଖରାଛାଇ ଦେଇ ଗତି କରିଛି । ତାଙ୍କର ୬ ବର୍ଷୀୟ ସମ୍ପର୍କ ବି ଅନେକ ବାଦବିବାଦକୁ ସାମ୍ନା କଲା । ଟିଭି ସିରିଏଲ “ପବିତ୍ର ରିସ୍ତା”ର ସହ-ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ସୁଶାନ୍ତଙ୍କ ପ୍ରେମ ସମ୍ପର୍କର ସମାପନ ଖରାପ ଥିଲା । କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢି ଯାଇଥିଲା, ଏମିତିକି କଥା ମାରପିଟ ଯାଏଁ ଯାଇଥିଲା ।
୨୦୧୫ ର ଗୋଟିଏ ଘଟଣା ବହୁ ଚର୍ଚ୍ଚାରେ ଥିଲା । ଅଙ୍କିତା ଲୋଖଣ୍ଡେ ଏକ ନାଇଟ୍ କ୍ଲବରେ ସୁଶାନ୍ତଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିଥିଲେ । ସୁଶାନ୍ତ ଏବଂ ଅଙ୍କିତା ଏକ ନାଇଟ୍ କ୍ଲବରେ ପାର୍ଟୀକୁ ଯାଇଥିଲେ ଓ ସେଠାରେ ଉଭୟଙ୍କ ଭିତରେ ଟିକେ ପାଟିତୁଣ୍ଡ ହେଇଗଲା । ସୁଶାନ୍ତ ମଦ୍ୟପାନ କଲା ପରେ ତାଙ୍କ ମହିଳା ପ୍ରଶଂସକଙ୍କ ସହ ନାଚିବା ଆରମ୍ଭ କରିଥିଲେ ଓ ଅଙ୍କିତା କହିବା ପରେ ବି ନାଚିବା ବନ୍ଦ କରିନଥିଲେ, ଅଙ୍କିତା ତାଙ୍କୁ ଚାପୁଡ଼ା ମାରିଥିଲେ ।
ଏହି ପ୍ରସଙ୍ଗରେ ସୁଶାନ୍ତ ଏବଂ ଅଙ୍କିତା କୌଣସି ପ୍ରତିକ୍ରିୟା ଦେଇ ନଥିଲେ । କିନ୍ତୁ ୨୦୧୩ ରେ ଥରେ ୟଶ ରାଜ ଷ୍ଟୁଡିଓରେ ଯେତେବେଳେ ଏକ ସମାନ ଘଟଣାର ରିପୋର୍ଟ କରାଯାଉଥିଲା ସୁଶାନ୍ତ କହିଥିଲେ, “ମୁଁ ଦୈନିକ ଏମିତି ଅନେକ ଘଟଣା ଘଟାଏ ଯାହା ପାଇଁ ମୋତେ ଥାପଡ଼ ପଡ଼ିବା ଉଚିତ, କିନ୍ତୁ ଦୁର୍ଭାଗ୍ୟବଶତଃ ଏପର୍ଯ୍ୟନ୍ତ ତାହା ହୋଇନାହିଁ । ତା’ପରେ ଅଙ୍କିତା ବି କହିଥିଲେ ଯେ ସେ ସୁଶାନ୍ତଙ୍କୁ କଦାପି ଚାପୁଡ଼ା ମାରି ପାରିବେନାହିଁ । ହେଲେ ଦୁଇ ବର୍ଷ ପୂର୍ବ ଘଟଣା ବିଷୟରେ କେହି କିଛି କହି ନଥିଲେ । ପରେ ଦୁହେଁ ବହୁତ ଖରାପ ପରିଣତି ସହିତ ବ୍ରେକଅପ୍ କରିଥିଲେ ଯେଉଁଥିରେ ସୁଶାନ୍ତ ପୁରା ଭାଙ୍ଗି ପଡ଼ିଥିଲେ ।