ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡର ଖୁଲାସା ହୋଇଛି ମଧ୍ୟପ୍ରଦେଶର ଖର୍ଗୋନରେ । ପ୍ରେମିକ ସନ୍ତୋଷ ତାଙ୍କର ବିବାହିତା ପ୍ରେମିକା ଛାୟା ବାଇଙ୍କୁ ହତ୍ୟା କରି ନିଜର ନୂଆ ଘରେ ପୋତି ସିମେଣ୍ଟ ପ୍ଲାଷ୍ଟର କରିଦେଲେ । ଛାୟା ବାଇ କିଛି ଦିନ ହେବ ତାଙ୍କ ବାପା ଭାୟାରାମଙ୍କ ଘରେ ମୋହେନଖେଡି ଗାଁରେ ରହୁଥିଲେ । କିନ୍ତୁ ଡିସେମ୍ବର ୩୦ ତାରିଖ ଦିନ ସେ ହଠାତ୍ ବାପଘରୁ କୁଆଡ଼େ ଅଦୃଶ୍ୟ ହୋଇଗଲେ । ୩ ଜାନୁୟାରୀ ୨୦୨୧ରେ ପରିବାର ଲୋକେ ଭିକନଗାଓଁ ଥାନାରେ ତାଙ୍କ ନିଖୋଜ ରିପୋର୍ଟ ଲେଖେଇଲେ ।
ମହିଳା ନିଖୋଜ ହେବା ସହିତ ପ୍ରେମିକ ସନ୍ତୋଷ ମଧ୍ୟ ଗାଁରୁ ଅଦୃଶ୍ୟ ହୋଇ ଯାଇଥିଲେ । ଗାଁ ଲୋକେ ଏବଂ ପୋଲିସ ଅନୁମାନ କଲେ ଯେ ଦୁହେଁ ଗାଁ ଛାଡ଼ି କୁଆଡ଼େ ପଳେଇଛନ୍ତି । ଏହାସହିତ ସନ୍ତୋଷଙ୍କ ବାପା କିଶୋର ବି ଗାଁରେ ନଥିଲେ । ମହିଳାଙ୍କ ପରିବାର ଲୋକେ ଭୟ କରୁଥିଲେ ଯେ ସନ୍ତୋଷ ଛାୟାକୁ ନେଇ ତାଙ୍କ ନୂଆ ଘରେ ବନ୍ଦୀ କରି ରଖିଛନ୍ତି । ପୋଲିସ ଅନୁସନ୍ଧାନ କରିଥିଲା ହେଲେ କୌଣସି ସୁରାଗ ପାଇ ନଥିଲା ।
![](https://sanskarnetwork.in/odia/wp-content/uploads/2021/01/house-middle.jpg)
ଜାନୁଆରୀ ୨୬ ରେ ସନ୍ତୋଷ ଘରୁ ଦୁର୍ଗନ୍ଧ ହେଲା ଫଳରେ ଆଖପାଖ ଲୋକେ ପୋଲିସକୁ ସୂଚନା ଦେଲେ । ପୋଲିସ ତାଲା ଭାଙ୍ଗି ଘର ଯାଞ୍ଚ କରିଥିଲା କିନ୍ତୁ ଘରଟି ଖାଲି ଥିଲା । କିନ୍ତୁ ଚଟାଣରେ ସିମେଣ୍ଟ ପ୍ଲାଷ୍ଟର ହେଇଥିଲା । ତାକୁ ଖୋଲିଲାରୁ ବାହାରିଲା ମହିଳାଙ୍କ ଚୁଡ଼ି, କାନଫୁଲ । ପ୍ରାୟ ୩ ଫୁଟ ଖୋଲିଲା ପରେ ବାହାରିଲା ଛାୟାର ମୃତଦେହ ଯାହା ସଢି ଯାଇଥିଲା ଏବଂ ଦୁର୍ଗନ୍ଧ ହେଉଥିଲା । SDOP ପ୍ରବୀଣ କୁମାର କହିଛନ୍ତି ଯେ FSL ଦଳକୁ ଡାକି ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହି ମାମଲା ପଞ୍ଜିକରଣ କରି ଗୁରୁତର ଭାବେ ତଦନ୍ତ କରାଯାଉଛି ।