ଆଜି ଗୋଟିଏ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ଟପି ଯାଇଛି । ସକାଳେ ୧୯ ଜଣ ଚିହ୍ନଟ ହୋଇଥିଲାବେଳେ ସନ୍ଧ୍ୟାରେ ୨୪ ଜଣ ଚିହ୍ନଟ ହୋଇ କେବଳ ଗଞ୍ଜାମ ଜିଲ୍ଲାରେ ୪୩ ଜଣ ଆକ୍ରାନ୍ତ ଚିନ୍ତା ବଢାଇ ଦେଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ସକାଳ ୧୯ ଜଣ ସୁରତ ଫେରନ୍ତା । ଏହାବ୍ୟତୀତ କେନ୍ଦ୍ରାପଡ଼ାରୁ ୫ ଜଣ, ଭଦ୍ରକରୁ ୩ ଜଣ ଏବଂ ରାଜଧାନୀ ଭୁବନେଶ୍ଵରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ଵାରେଣ୍ଟିନ କେନ୍ଦ୍ରରେ ରହୁଥିଲେ ।
ପ୍ରଥମ ପର୍ଯ୍ୟାୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିବାକୁ ପ୍ରାୟ ଏକ ମାସ (୨୭ ଦିନ) ସମୟ ଲାଗିଥିଲାବେଳେ ଆଜି ତାହା ରେକର୍ଡ଼ ଭାଙ୍ଗିଛି । ଗୋଟିଏ ଦିନରେ ରାଜ୍ୟରେ ୫୦ରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ କେବଳ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ ରେ ପହଞ୍ଚିଛି । ଆଜିକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ରହିଛି ।
ଦ୍ଵିତୀୟ ପର୍ଯ୍ୟାୟକୁ ଦେଖିଲେ ଜଣାଯାଏ ଯେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିବାକୁ ୧୫ ଦିନ ସମୟ ଲାଗିଥିଲାବେଳେ ତୃତୀୟ ପର୍ଯ୍ୟାୟରେ ତାହା କମି ୬ ଦିନ, ଚତୁର୍ଥ ପର୍ଯ୍ୟାୟରେ ୫ ଦିନ ଓ ପଞ୍ଚମ ପର୍ଯ୍ୟାୟରେ ୨ ଦିନରେ ପହଞ୍ଚିଛି । କିନ୍ତୁ ତାଜା ଖବର ହେଉଛି ଆଜି ଗୋଟିଏ ଦିନରେ ହିଁ ରାଜ୍ୟରେ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଥାଉ କି କିଛି ଦିନରେ ରାଜ୍ୟରେ ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଲକ୍ଷଣ ଥିବା ରୋଗୀଙ୍କ ପ୍ରତି ରହିଥାଏ ଅଧିକ ବିପଦ । ସେମାନଙ୍କ ସୁସ୍ଥ ହେବାର ସମ୍ଭାବନା ଏକ ପ୍ରକାର କମିଯାଇଥାଏ କହିଲେ ଠିକ ହେବ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ସରକାର କ୍ଵାରେଣ୍ଟିନ ଅବଧି ୧୪ ଦିନରୁ ୨୧ ଦିନ ଯାଏ ବଢାଇ ଦେଇଛନ୍ତି ।