ଉତ୍ତର ପ୍ରଦେଶ ଖୁରଜା ଥାନା ଅନ୍ତର୍ଗତ କୁରାଲା ଗାଁରେ ଗହମ କାଟିବା ବିବାଦରେ ଜଣେ ଭାଇ ବାଡ଼ିରେ ହତ୍ୟା କରିଛି ଭଉଣୀକୁ । ଏହାପରେ ଅଭିଯୁକ୍ତ ଭାଇ ଜଣଙ୍କ ଭଉଣୀ ମୃତଦେହକୁ ନିଜେ କ୍ଷେତରେ ପୋତି ଦେଇଛି । ଘଟଣାଟି ଘଟିଥିଲା ଅପ୍ରେଲ ୭ ତାରିଖ ଦିନ । ଶନିବାର ଦିନ ସକାଳେ ସନ୍ଦେହ ହେବାରୁ ଗାଁ ଜଗୁଆଳି ପୋଲିସକୁ ସୂଚନା ଦେଇଥିଲା ଏବଂ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ଅଭିଯୁକ୍ତଙ୍କ ବଡ଼ ଭାଇକୁ ଧରିଛି । ମାତ୍ର ହତ୍ୟା ଅଭିଯୁକ୍ତ ସାନ ଭାଇ ଫେରାର ହୋଇଯାଇଛି ।
କୁରାଲା ଗାଁର ମଜ୍ରା ମାକସୁଦାବାଦ ନିବାସୀ ସୁଲତାନଙ୍କ ୧୫ ବର୍ଷର ଝିଅ ରଶ୍ମୀ ଗୁରୁବାର ଦିନ ତାଙ୍କ ବଡ଼ ଭାଇ ପପୁ ଏବଂ ମଝିଆ ଭାଇ ଶଙ୍କିଙ୍କ ସାଙ୍ଗରେ ମିଶି କ୍ଷେତରେ ଗହମ ଅମଳ କରୁଥିଲା । ଏହି ସମୟରେ ଗହମ କାଟିବା ନେଇ ରଶ୍ମୀ ଏବଂ ଶଙ୍କିଙ୍କ ମଧ୍ୟରେ ଝଗଡ଼ା ଲାଗିଲା । ଏହାପରେ ଶଙ୍କି ରାଗି ଯାଇ ରଶ୍ମୀ ମୁଣ୍ଡକୁ ପାଖରେ ଥିବା ବାଡ଼ିରେ ଆଘାତ କରିଥିଲେ ଏବଂ ଘଟଣାସ୍ଥଳରେ ହିଁ ରଶ୍ମୀର ମୃତ୍ୟୁ ହୋଇଥିଲା । ଘଟଣା ପରେ ଅଭିଯୁକ୍ତ ତାଙ୍କ ବଡ଼ ଭାଇ ପପୁଙ୍କ ସହିତ ମିଶି ଭଉଣୀ ରଶ୍ମୀର ମୃତଦେହକୁ ଚୁପଚାପ୍ କ୍ଷେତରେ ପୋତି ଦେଇଥିଲେ ।
ଶନିବାର ଦିନ ଯେତେବେଳେ ଗାଁର ଜଗୁଆଳି ହରନାରାୟଣ ଏହି ବିଷୟରେ ସୂଚନା ପାଇଥିଲେ ତୁରନ୍ତ ସେ ଥାନାରେ ଏତଲା ଦେଲେ । ପୋଲିସ ଗାଁରେ ଥିବା ଚାଷ ଜମିରୁ ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଲା ଏବଂ ଅଭିଯୁକ୍ତ ପପୁଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତ ଶଙ୍କି ଫେରାର ହୋଇଗଲା ।

ପ୍ରାରମ୍ଭିକ ତଦନ୍ତ କରି ପୋଲିସ କହିଛି ଯେ ଅଭିଯୁକ୍ତ ଭାଇଙ୍କ ବ୍ୟତୀତ ଅନ୍ୟ କୌଣସି ପରିବାର ଏହା ଜାଣିନାହାନ୍ତି । ତେବେ ପ୍ରଶ୍ନ ଉଠିଛି ଯେ ଯେତେବେଳେ ଦୁଇ ଦିନ ପର୍ଯ୍ୟନ୍ତ ଝିଅ ଘରକୁ ଫେରି ନଥିଲେ ପରିବାର ଲୋକ ନିଖୋଜ ଅଭିଯୋଗ କେମିତି କରାଇ ନଥିଲେ । ଏସପି ହରେନ୍ଦ୍ର କୁମାରଙ୍କ କହିବାନୁସାରେ ମାମଲାର ତଦନ୍ତ ଚାଲିଛି ।