ଗିରଫ ହେଲା ମାନସ ହତ୍ୟାକାରୀ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ, ଦେଖନ୍ତୁ VIDEO କଣ କହୁଛନ୍ତି କ୍ରାଇମବ୍ରାଞ୍ଚ ADG, କେମିତି ଧରା ପଡିଲେ ଶର୍ମିଷ୍ଠା…

samistha raut arrested

ସଂସ୍କାର : ବହୁ ଦିନର ଲୁଚାଛପା ଖେଳ ପରେ ଧରା ପଡିଛନ୍ତି ଶର୍ମିଷ୍ଠା ରାଉତ। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ଆଉ ଭଦ୍ରକ ପୋଲିସ ମିଳିତ ଭାବେ ଏହି ସଫଳତା ହାସଲ କରିଛନ୍ତି। ଭିଡ଼ିଓ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି “ସମ୍ପୂର୍ଣ୍ଣା” ନାମକ ଏକ ଖବର ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କର ନିର୍ଦ୍ଦେଶ କ୍ରମେ ହିଁ ମାନସଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ଜଘନ୍ୟକାଣ୍ଡ ଘଟାଇ ମ୍ୟାଡାମ ଜଣକ କେଉଁ ଆଡେ ଫେରାର୍ ହୋଇଯାଇଥିଲେ। ୟାଙ୍କୁ ଖୋଜି ଖୋଜି ପୋଲିସ ବି ନିଅନ୍ତା ହୋଇଯାଇଥିଲା। ତେବେ ଶେଷରେ ଆଜି କ୍ରାଇମବ୍ରାଞ୍ଚ ଆଉ ଭଦ୍ରକ ପୋଲିସ ଧରିବାରେ ସଫଳ ହୋଇଛି।

କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ। ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।  ‘”ସମ୍ପୂର୍ଣ୍ଣା”’ ଖବର ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ଗିରଫ କରାଯାଇଛି । ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ।

ଏଡିଜିଙ୍କ କହିବା ମୁତାବକ, ‘କୋଲକାତାରୁ ଫେରିବା ବେଳେ ଶର୍ମିଷ୍ଠା ରାଉତଙ୍କୁ କାବୁ କରିଥିଲା କ୍ରାଇମବ୍ରାଞ୍ଚ ଆଉ ଭଦ୍ରକ ପୋଲିସ । ଆଜି ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ନଳାଙ୍ଗ ନିକଟରୁ ତାଙ୍କୁ ଗିରଫ କରାଯାଇଛି। କୋଲକାତା ଓ ଗୌହାଟିରେ କିଛି ଦିନ ଲୁଚି ରହିଥିଲେ ଶର୍ମିଷ୍ଠା । ଏମିତିକି ବହୁ ଦିନ ଧରି ରେଳ ଷ୍ଟେସନରେ ବି ଆଶ୍ରୟ ନେଇଥିବା ସୂଚନା ମିଳିଛି।

ତେବେ ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି । ଏକ ମେମୋରୀ ଚିପ୍ ପାଇଁ ମାନସଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଥିଲା । ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଶବ ପୋଡ଼ାଯାଇଥିଲା ।

ଉଭୟଙ୍କୁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ । ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ । ତେବେ ଶର୍ମିଷ୍ଠାଙ୍କ ଗିରଫ ପରେ ମାନସ ହତ୍ୟା ପଛର ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

ଶର୍ମିଷ୍ଠା ରାଉତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ଶର୍ମିଷ୍ଠା ମାଗୁଥିଲେ ବି ମାନସ ଦେଉନଥିଲେ। ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଇବା ପରେ, ଶର୍ମିଷ୍ଠା ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ରଖି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ତାଙ୍କ ସଂସ୍ଥାର ରାଜଧାନୀରେ ଥିବା କାର୍ଯ୍ୟାଳୟକୁ ପ୍ରାୟ ମାସେ ହେବ ଆସି ନଥିବା କହିଛନ୍ତି ସଂସ୍ଥାର କେଆର ଟେକର୍।

Leave a Reply

Your email address will not be published. Required fields are marked *