ସଂସ୍କାର : ଉଭୟ ଜାତୀୟ ଆଉ ରାଜ୍ୟସ୍ତରରେ ଚାଲିଛି ନିର୍ବାଚନର ମାହୋଲ। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ , ଆସନ୍ତାକାଲି ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ଜାତୀୟ ସ୍ତରରେ ବି ନିର୍ବାଚନର ମାହୋଲ ସରଗରମ ରହିଛି। ପଞ୍ଜାବ, ଗୋଆ, ଉତ୍ତରପ୍ରଦେଶ ଭଳି ରାଜ୍ୟମାନଙ୍କରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ସରିଛି। ତେବେ ଏହି ନିର୍ବାଚନ ମାହୋଲ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯାହା ଜାଣିବା ପରେ ଆପଣବି ଶୋକପ୍ରକାଶ କରିବେ। ତେବେ ଖବରଟି ହେଉଛି ନିର୍ବାଚନରେ ପରାଜିତ ଦମ୍ପତିଙ୍କ ବିଷୟରେ। ନିର୍ବାଚନରେ ହାରିବା ପରେ ସେମାନଙ୍କୁ ଅପମାନ କରାଯାଇଥିଲା। ଆଉ ଅପମାନ ସହି ନ ପାରି ପରାଜିତ ଦମ୍ପତି ଆତ୍ମହତ୍ୟା କରିଛନ୍ତି।
ରାଜନୀତି ନେଇଗଲା ଦୁଇ ଦୁଇଟି ଜୀବନ । ନିର୍ବାଚନରେ ପରାଜିତ ହେବା ଯୋଗୁଁ ଉଜୁଡ଼ିଗଲା ସଂସାର । ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାକୁ ସହ୍ୟ କରିନପାରି ପୂର୍ବରୁ ସ୍ୱାମୀ ଆତ୍ମହତ୍ୟା କରିଥିଲେ । ଆଉ ଏବେ ଚିକିତ୍ସିତ ଅବସ୍ଥାରେ ପତ୍ନୀ ବି ଆଖି ବୁଜିଦେଇଛନ୍ତି।ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତର ଏହି ଦୁଃଖଦ କାହାଣୀ ଆଜି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗୋଟିଏ ପଟେ ସ୍ୱାମୀଙ୍କ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ସ୍ତ୍ରୀଙ୍କର ଜୁଇ ଜଳିଛି ।
ଚଳିତ ପଞ୍ଚାୟତ ନିର୍ବାଚନରେ ରମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ସୁମତି ପରିଡ଼ା ସମିତି ସଭ୍ୟା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ତେବେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରା ସମୟରେ ରମାକାନ୍ତଙ୍କୁ ଟାହିଟାପରା କରିଥିଲେ । ଏହାକୁ ସହ୍ୟ କରିନପାରି ରମାକାନ୍ତ ନିର୍ବାଚନରେ କାହିଁକି ଛିଡ଼ା ହେଉଥିଲେ ବୋଲି ସୁମତିଙ୍କୁ ଗାଳି ଦେଇଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ଓ ଏଥିରେ କ୍ରୋଧାନ୍ୱିତ ହୋଇ ସୁମତି ବିଷପାନ କରିଦେଇଥିଲେ । ଏହାପରେ ରମାକାନ୍ତ ମଧ୍ୟ ଫାଶୀ ଲଗାଇ ଦେଇଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସୁମତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।