କରୋନାର ଦ୍ଵିତୀୟ ଲହର ଖୁବ ଘାତକ ବୋଲି ଜଣାପଡୁଛି । ଖୁବ କମ ସମୟ ମଧ୍ୟରେ ଦେଶର ଚାରିଆଡ଼େ ପୁଣିଥରେ ହୁହୁ ହେଇ ବଢିଚାଲିଛି ପଜିଟିଭ ମାମଲା । ଏଣିକି ସଂକ୍ରମଣ ମାମଲା ପ୍ରତିଦିନ ଏବେ ୨ ଲକ୍ଷରୁ ଅଧିକ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ତେବେ ଏ ସମୟରେ ଲକ୍ଷ୍ନୌର ଆଲିଗଞ୍ଜରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅକ୍ସିଜେନ୍ ସିଲିଣ୍ଡର ଲାଗିଥିବା ଜଣେ ୭୦ ବର୍ଷୀୟ କରୋନା ସଂକ୍ରମିତଙ୍କୁ ଧରି ତାଙ୍କ ପରିବାର ଲୋକେ ସହରର ବିଭିନ୍ନ ହସ୍ପିଟାଲ ଯାଇଥିଲେ ହେଁ ତାଙ୍କୁ କୌଣସି ହସ୍ପିଟାଲରେ ବେଡ୍ ଗୋଟିଏ ମିଳି ନଥିଲା ।
ସୂଚନା ମୁତାବକ ଲକ୍ଷ୍ନୌର ଆଲିଗଞ୍ଜରେ ରହୁଥିବା ସୁଶୀଲ କୁମାର ଶ୍ରୀବାସ୍ତବ ଜଣେ ଡାଇବେଟିସ୍ ଓ ହାଇବ୍ଲଡପ୍ରେସର ରୋଗୀ । ବୁଧବାର ଦିନ ଅଚାନକ ତାଙ୍କୁ ନିଶ୍ଵାସ ନେବାରେ କଷ୍ଟ ହୋଇଥିଲା ଏବଂ ପରିବାର ଲୋକେ ତୁରନ୍ତ ତାଙ୍କୁ ଘର ପାଖରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ ଯେଉଁଠି ସୁଶୀଲ କୁମାରଙ୍କ ନିୟମିତ ଚିକିତ୍ସା ଚାଲିଥିଲା ।
ମାତ୍ର କରୋନା ଯାଞ୍ଚ ନକରି ତାଙ୍କୁ ଦେଖିବାକୁ ମନା କରିଦେଇଥିଲେ ଡାକ୍ତରମାନେ । ଏହି ସମୟରେ ପରିବାର ଲୋକେ ବିବେକାନନ୍ଦ ହସ୍ପିଟାଲକୁ ଗଲେ, ହେଲେ ସେଠାରେ ବି ଡାକ୍ତରମାନେ ତାଙ୍କ ଯାଞ୍ଚ କରିବାକୁ ମନା କରିଦେଇଥିଲେ । ଏହାପରେ ସୁଶୀଲ କୁମାରଙ୍କର ଅକ୍ସିଜେନ୍ ଲେବଲ ହ୍ରାସ ପାଇଥିଲା । ତଥାପି ବି ହସ୍ପିଟାଲର ଡାକ୍ତର ତାଙ୍କ ଚିକିତ୍ସା କରିବାକୁ ମନା କରିଥିଲେ। ପରେ ଟୁ ନେଟ୍ ମେସିନ୍ ଦ୍ଵାରା ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା । ପରିବାର ଲୋକେ ଯେତେବେଳେ ତାଙ୍କୁ ଉକ୍ତ ହସ୍ପିଟାଲରେ ଆଡମିଟ୍ କରିବା କଥା କହିଲେ, ବେଡ୍ ନାହିଁ କହି ଡାକ୍ତର ତାଙ୍କୁ ମନା କରିଦେଇଥିଲେ ।
![](https://sanskarnetwork.in/odia/wp-content/uploads/2021/04/COVID-19-bed-occupancy.jpg)
ଏହାପରେ ପୁଅ ଅକ୍ସିଜେନ୍ ସିଲିଣ୍ଡର ସାଙ୍ଗରେ ଧରି କାରରେ ବାପାଙ୍କୁ ବସେଇ ସହରର ବିଭିନ୍ନ ହସ୍ପିଟାଲ ଯାଇଥିଲେ ହେଲେ ସବୁଠୁ ଶୁଣିବାକୁ ମିଳିଥିଲା ନାସ୍ତିବାଣୀ । ଏମିତିକି ଫୋନ୍ରେ ବହୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ, ହେଲେ କେହି ସାହାଯ୍ୟ କଲେନି । ଏହି ସମୟରେ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ସରି ଆସୁଥିଲା । ତେଣୁ ତାଲକଟୋରାରେ ଥିବା ଅକ୍ସିଜେନ୍ ସେଣ୍ଟରରୁ ମୋଟା ଅଙ୍କର ଟଙ୍କା ଦେଇ ଦ୍ଵିତୀୟ ଅକ୍ସିଜେନ୍ ସିଲିଣ୍ଡର କିଣିଥିଲେ ପୁଅ ଏବଂ ନିରାଶ ହୋଇ ଘରକୁ ଫେରି ଆସିଥିଲେ ।