ନକଲି ନୋଟ୍ ନେଇ ଅନେକ ମାମଲା ବହୁତ ଥର ସାମ୍ନାକୁ ଆସିଛି । ତେବେ ଝାରଖଣ୍ଡ ଚାଇଁବସାର ପୂର୍ବତନ ବିଜେପି ବିଧାୟକଙ୍କ ପତ୍ନୀଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ସେ ନକଲି ନୋଟ୍ ଛାପୁଥିବା ନେଇ କେତେକ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଯେତେବେଳେ ଲୋକେ ତାଙ୍କୁ ଏନେଇ ପ୍ରଶ୍ନ କରିଥିଲେ ସେ ଓଲଟି ଛୁରା ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗରେ ସାମିଲ ହୋଇଛି । ଅଭିଯୁକ୍ତ ମହିଳା ଜଣକ ୟୁଟ୍ୟୁବ ଦେଖି ଓ କିଛି ବନ୍ଧୁ ସାଙ୍ଗରେ ମିଶି ଏ କାମ କରିଥିଲେ ।
ଖବର ଅନୁଯାୟୀ ଅଭିଯୋଗ ଆସିଥିବା ମହିଳା ମଲାୟା ହେମ୍ବ୍ରମ, ପୁତକର ହେମ୍ବ୍ରମଙ୍କ ପତ୍ନୀ ଯିଏ କି ବିଜେପିର ଜଣେ ପୂର୍ବତନ ବିଧାୟକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ମଲାୟା କିଛିଦିନ ହେବ ପାଖ ବଜାରର ବିଭିନ୍ନ ଦୋକାନରେ ନକଲି ନୋଟ ଦେଇ ଜିନିଷ କିଣୁଥିଲେ । ଦୋକାନୀମାନେ ଯେତେବେଳେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାକୁ ନେଇଥିଲେ ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା ।
ମଲାୟା ମାଛ ଦୋକାନରୁ ଆରମ୍ଭ କରି କପଡ଼ା ଦୋକାନ ଯାଏଁ ସବୁଠି ସେଇ ନକଲି ନୋଟ୍ ଦେଇ ସେ ଜିନିଷ କିଣୁଥିଲେ ଓ ଦିନେ ଦୋକାନୀମାନେ ଘେରାଉ କରି ତାଙ୍କୁ ନକଲି ନୋଟ୍ ନେଇ ଅସଲି ନୋଟ୍ ଦେବାକୁ ବାଧ୍ୟ କରିଥିଲେ । ଫଳରେ ମଲାୟା ଓ ଦୋକାନୀମାନଙ୍କ ଭିତରେ ଝଗଡ଼ା ବଢିଲା ଓ ଶେଷରେ ପାଖରେ ରଖିଥିବା ଏକ ଛୁରୀରେ ମଲାୟା ୩ ଜଣ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏ ଆକ୍ରମଣରେ ୩ ଜଣ ଯାକ ଆହତ ହୋଇଥିବାବେଳେ ମୁଫ୍ସିଲ ଥାନା କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମଲାୟାକୁ ଧରି ନେଇଥିଲେ ଥାନାକୁ ।
ତେବେ ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ ମଲାୟାଙ୍କୁ ପଚରାଉଚରା ପରେ ସେହିଦିନ ରାତିରେ ମଲାୟାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା । ନକଲି ନୋଟ୍ ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବି ପୋଲିସକୁ ହସ୍ତଗତ ହୋଇଛି । ତେବେ ଛାନବିନ ଜାରି ରହିଛି ।