ଏତେଦିନ ବିତିଯାଇଥିଲେ ସୁଦ୍ଧା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା କୌଣସି ସଠିକ ଉତ୍ତର ମିଳିପାରିନାହିଁ ଯେ ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ଥିଲା । ତେବେ ସାମ୍ନାକୁ ଆସିଛନ୍ତି ଆଦିତ୍ୟଙ୍କ ରହସ୍ୟମୟୀ ଫେସବୁକ ପ୍ରେମିକା । ନାମ ଚିନ୍ମୟୀ ମହାପାତ୍ର । ବାଲେଶ୍ଵର ବାସିନ୍ଦା । ତାଙ୍କୁ ନେଇ ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରି ନିଜକୁ କେବଳ ନିର୍ଦ୍ଦୋଷ ବୋଲି କହି ନାହାନ୍ତି ବରଂ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ଗଣମାଧ୍ୟମର ଏକ ସାକ୍ଷାତକାରରେ ଚିନ୍ମୟୀ କହିଛନ୍ତି ଯେ ସେ ସୋସିଆଲ ମିଡ଼ିଆ ଫେସବୁକରୁ ଆଦିତ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ । ଆଦିତ୍ୟ ଏତେ ଭଲ ଥିଲେ ଯେ ତାଙ୍କୁ ଯେକେହି ପ୍ରେମ କରି ବସିବ । ସେହିପରି ସେ ମଧ୍ୟ ଆଦିତ୍ୟଙ୍କୁ ପ୍ରେମ କରୁଥିଲେ । ଏକ ତରଫା ପ୍ରେମ ସମ୍ପର୍କର ଅଭିଯୋଗକୁ ଅମାନ୍ୟ କରି ସେ ଉତ୍ତର ଦେଇଛନ୍ତି ଯେ ସାଇକୋ ଲେଡି କଥା ପୁରା ମିଛ । ଆଦିତ୍ୟ ଓ ତାଙ୍କ ପ୍ରେମ ସାଧାରଣ ପ୍ରେମ ଥିଲା ।

ଚିନ୍ମୟୀ ଆହୁରି ବି କହିଛନ୍ତି ଯେ ମୁଁ ଆଦିତ୍ୟଙ୍କୁ ବାହା ହେଇଥାନ୍ତି । ଆମ ଭିତରେ ପବିତ୍ର ସମ୍ପର୍କ ଥିଲା । ଭୁବନେଶ୍ୱର ଗଲେ ମୁଁ ତାଙ୍କ ଆଶ୍ରମ ଯାଇ ତାଙ୍କୁ ଦେଖା କରେ । ମୋ ବାପାଙ୍କ ମୃତ୍ୟୁ ପରେ ବିବାହ ପାଇଁ ଘର ଲୋକେ ପ୍ରସ୍ତୁତ ନଥିଲେ । ମୋତେ ସାଇକୋ ଲେଡ଼ି ଆଖ୍ୟା ଦେଇଥିବା ବ୍ୟକ୍ତି ବିରୋଧରେ ମୁଁ ଆଇନର ଆଶ୍ରୟ ନେବି । ମୋର ସେମିତି କିଛି ସମସ୍ୟା ନାହିଁ । ଆଉ ହଁ, ଆଦିତ୍ୟଙ୍କ ବିବାହ ପରଠୁ ତାଙ୍କ ସହିତ ମୋର କୌଣସି ସମ୍ପର୍କ ନଥିଲା । ଗଣମଧ୍ୟାମକୁ ଖୋଲାଖୋଲି ଚିନ୍ମୟୀ କହିଛନ୍ତି ଯେ ସେ ମଧ୍ୟ ଚାହାଁନ୍ତି ଆଦିତ୍ୟଙ୍କୁ ନ୍ୟାୟ ମିଳୁ । ଦୋଷୀ ସାମ୍ନାକୁ ଆସୁ ।