ସ୍କୁଲରୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହେଲେ ଦଶମ ଶ୍ରେଣୀର ଜଣେ ଛାତ୍ରୀ : ଅବହେଳା ନା ଆକ୍ରୋଶ ?

class X student of Sanakhemundi-Patapur locked inside the school

ଜାଣିଶୁଣି ଶିକ୍ଷକ ଶିକ୍ଷୟତ୍ରୀମାନେ ତାଲା ପକାଇଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ ଆଣିଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷକ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ । ତେବେ ସ୍କୁଲ ପରିସରରୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହେଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ । ଏ ଘଟଣା ପରେ ଏହା ଅବହେଳା ନା ଆକ୍ରୋଶ ତା ନେଇ ଉଠିଛି ପ୍ରଶ୍ନ ।

ମିଳିଥିବା ସୂଚନାନୁସାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସକାଳୁ ବିଦ୍ୟାଳୟକୁ ଯାଇଥିଲେ ହେଲେ ଫେରି ନଥିଲେ । ତାଙ୍କ ଅଭିଭାବକ ଅନେକ ଖୋଜାଖୋଜି କରି ଯେତେବେଳେ ବିଦ୍ୟାଳୟରେ ପହଞ୍ଚିଥିଲେ, ବିଦ୍ୟାଳୟ ପରିସରରେ ଝିଅକୁ ଅଚେତ୍ ଅବସ୍ଥାରେ ପାଇଲେ । ଘଟଣା ନେଇ ପରିଜନ ଏବଂ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଲେ ।

ଖବର ପାଇ ପୋଲିସ ବିଦ୍ୟାଳୟ ସଭାପତିଙ୍କ ଉପସ୍ଥିତିରେ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରିଛି । ଛାତ୍ରୀ ନିଜ ବୟାନରେ କହିଛନ୍ତି ଯେ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଜାଣିଶୁଣି ତାଲା ପକାଇ ଚାଲିଯାଇଛନ୍ତି । ସେ ଆହୁରି ବି କହିଛନ୍ତି ଯେ ଯେତେବେଳେ ସ୍କୁଲ ଛୁଟି ସମୟ ହେଲା ସେ ପରିସ୍ରାଗାର ଯାଇଥିଲେ ପରିସ୍ରା କରିବାକୁ, ହେଲେ ଫେରିଲାବେଳକୁ ବିଦ୍ୟାଳୟ ଫାଟକରେ ତାଲା ପଡ଼ି ସାରିଥିଲା । ବହୁତ ସମୟ ଅପେକ୍ଷା କରି କରି ଅସୁସ୍ଥ ହୋଇପଡ଼ିଥିଲେ ଏବଂ ବାରଣ୍ଡାରେ ପଡ଼ି ଯାଇଥିଲେ ।

ସୂଚନାଥାଉ ଯେ ତାଲା ଖୋଲିଲା ପରେ ଅଭିଭାବକ ଛାତ୍ରୀ ଜଣଙ୍କୁ ଆଡ଼ପଡ଼ା ମେଡ଼ିକାଲ ନେଇଥିଲେ । ସେପଟେ କିନ୍ତୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ତାଲା ପକାଇବା ସମୟରେ ପରିସର ମଧ୍ୟରେ କେହି ନଥିଲେ । ଛାତ୍ରୀ ଜଣଙ୍କ କିଭଳି ଆସିଲେ ଆମେ ଜାଣିନାହୁଁ । ଏହାସହିତ ସ୍କୁଲ ସଭାପତି ମଧ୍ୟ କହିଛନ୍ତି ଯେ ସ୍କୁଲକୁ ବଦନାମ କରିବାକୁ ଏହା ଏକ ଚକ୍ରାନ୍ତ ମାତ୍ର । ଅପର ପକ୍ଷରେ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବୁ ବୋଲି ଅଭିଭାବକ କହିଛନ୍ତି ।

Leave a Reply

Your email address will not be published. Required fields are marked *