ଜୀବନ ସହ ଜୀବିକା ବି ଆବଶ୍ୟକ ବୋଲି କହିଲେ ସରକାର । ତେଣୁ କୋହଳ ହେଲା କିଛି ମାତ୍ରାରେ କଟକଣା ନିତି । ହେଲେ ଜନତା ଲକଡାଉନ ନିୟମ ଉଲଙ୍ଘନ କରିଚାଲିଛି । ଏପର୍ଯ୍ୟନ୍ତ କେବଳ ମାସ୍କ ବ୍ୟବହାର ନକରି ଲୋକେ ଦେଲେଣି ୧,୨୫,୮୪,୧୮୦ ଟଙ୍କା । ସେହିପରି ସାମାଜିକ ଦୂରତ୍ଵକୁ ଫୁ କରି ଉଡ଼ାଇ ଜରିମାନା ଆକାରରେ ଲୋକେ ଗଣିଲେଣି ୧୧,୭୪,୩୫୦ ଟଙ୍କା ଏବଂ ରାତିରେ ଜାରି ହେଉଥିବା କର୍ଫ୍ୟୁ ଉଲଙ୍ଘନକାରୀଙ୍କ ଠାରୁ ଆଦାୟ ହେଲାଣି ୧,୦୩,୮୦୦ ଟଙ୍କା ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ସୂଚନା ଦେଇଛନ୍ତି ଯେ ଏତେ ମାତ୍ରାରେ ଟଙ୍କା ଆଦାୟ ପରୋକ୍ଷରେ କରୋନା ସଂକ୍ରମଣର ଆଶଙ୍କା ବଢାଉଛି ଯାହା ସତରେ ମୁଣ୍ଡ ବ୍ୟଥାର କାରଣ ।
ଅନ୍ୟପକ୍ଷରେ ପୋଲିସ ଡିଜି ଅଭୟଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନୁକ୍ରମେ ମହିଳାଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଇଛି ଯାହାର ପ୍ରମାଣ ସ୍ୱରୂପ ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୩ ଟି ମାମଲା ଘରୋଇ ହିଂସାର ଥିଲା । ମାନବିକତା ସମ୍ପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଡିଜି କହିଛନ୍ତି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ କରି ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ ପୋଲିସ ପକ୍ଷରୁ କୁହାଯାଇଛି ।