କଲେଜ ପଢୁଆ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର : ପରୀକ୍ଷା ହଲରେ ନୁହେଁ ଏବେ ଘରେ ବସି ଦେବେ ସେମିଷ୍ଟର ପରୀକ୍ଷା

କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖୁସି ଖବର । କୋରାପୁଟ ଜିଲ୍ଲାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଘୋଷଣା କରାଯାଇଛି ଯାହାକୁ ଶୁଣିଲେ ସବୁ ଛାତ୍ରଛାତ୍ରୀଙ୍କ ମୁହଁରେ ଏବେ ହସଟିଏ ଫୁଟିବ । ଆଜ୍ଞା ହଁ ବିଶ୍ଵବିଦ୍ୟାଳୟର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ହେଲେ ଏ ପରୀକ୍ଷା ଦେବାକୁ ପରୀକ୍ଷା ହଲକୁ ଯିବାକୁ ପଡ଼ିବ ନାହିଁ, ବରଂ ନିଜ ନିଜ ଘରେ ବସି ଦେଇହେବ ।

ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ହେବାକୁ ଥିବା ଏହି ପରୀକ୍ଷା ଛାତ୍ରଛାତ୍ରୀମାନେ ଏବେ ନିଜ ଘରୁ ଥାଇ ଦେଇପାରିବେ । ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ଗୁଗୁଲ୍‌ ଫର୍ମସ, ହ୍ୱାଟ୍ସଆପ୍‌ ଏବଂ ଇ-ମେଲ୍‌ ମାଧ୍ୟମରେ ସେମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଦରକାର ପଡ଼ିଲେ ଫୋନ୍‌ରେ ମଧ୍ୟ ପ୍ରଶ୍ନ ଡକା ଯିବ । ଏହି ଅଭିନବ ପ୍ରକ୍ରିୟାର ପରୀକ୍ଷା ଅବଧି ସେଇ ସମାନ ୩ ଘଣ୍ଟା ହିଁ ରହିବ ।

ନିୟମାନୁଯାୟୀ ସମୟାନୁସାରେ ପ୍ରଦତ୍ତ ୩ ଘଣ୍ଟା ଭିତରେ ଉତ୍ତର ଲେଖିବାକୁ ହେବ ଓ ଉତ୍ତର ଲେଖିସାରିଲା ପରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ପ୍ରତ୍ୟେକ ପୃଷ୍ଠାକୁ ଫୋନ ମାଧ୍ୟମରେ ଫଟୋ ଉଠାଇ କିମ୍ବା ସ୍କାନ୍‌ କରି ୧ ଘଣ୍ଟା ମଧ୍ୟରେ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ପଠାଇବେ । କୌଣସି କାରଣରୁ ଯଦି ଉତ୍ତର ଖାତାକୁ ସଫ୍ଟ କପି କରି ନପଠାଇ ପାରିଲେ ତେବେ ପୋଷ୍ଟ ଅଫିସ ଯାଇ ସ୍ପିଡ୍ ପୋଷ୍ଟ କରିପାରିବେ । କରୋନା ସଂକ୍ରମଣକୁ ରୋକିବାକୁ ପରୀକ୍ଷା କରିବାର ଏ ନୂଆ ପଦ୍ଧତିକୁ ଆପଣାଇବା ପାଇଁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *