ଦୃତବେଗରେ ମାଡ଼ି ଆସୁଛି ବାତ୍ୟା “ଆସାନି”, ହେବ ପ୍ରବଳ ବର୍ଷା ଆଉ ପବନ..

ସଂସ୍କାର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆଉ ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ବାତ୍ୟାର ରୂପ ନେଇଛି। ଘୂର୍ଣ୍ଣିବଳୟ କାରଣରୁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବା ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।

ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ଥିବାରୁ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ଏହା ପ୍ରଭାବରେ ୫ ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ଏବଂ ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ରହିବ । ତେବେ ଏହି ଅବପାତ ବାତ୍ୟା ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ଏ ପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ ।

ସେହିପରି ୬ ତାରିଖରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ଆରମ୍ଭ ହେବ । ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୮ ତାରିଖ ବେଳକୁ ପବନର ବେଗ କ୍ରମଶଃ ବୃଦ୍ଧି ପାଇ ସର୍ବାଧିକ ୭୫ କିମି ବେଗରେ ବହିପାରେ । ତେଣୁ ସମୁଦ୍ର ଅଧିକ ଅଶାନ୍ତ ଥିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଏବେ ବି ବାତ୍ୟା ସୃଷ୍ଟି ନେଇ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଶୁକ୍ରବାର ବାତ୍ୟାର ତୀବ୍ରତା ଏବଂ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିବ । ସେହିପରି ଅନେକ ସହରରେ ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରହିବ । ମୋଟାମୋଟି ଭାବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହା ଆସନ୍ତା ୪ ରୁ ୫ ଦିନ ପର୍ୟ୍ୟନ୍ତ ରହିବ । ଏହାସହ ପ୍ରବଳ ଗୁଳିଗୁଳି ମଧ୍ୟ ଅନୁଭବ ହେବ । ଯାହା ଫଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

ଏ ନେଇ ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ଆଲର୍ଟ କରାଯାଇଛି। ଏହି ୧୮ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ।

Leave a Reply

Your email address will not be published. Required fields are marked *