ଦେଶ ବିଦେଶ ଚାରିଆଡ଼େ ହୁହୁ ହେଇ କରୋନା ମାମଲା ବଢୁଥିଲା ବେଳେ ଅଟକିନି ବିବାହ ପର୍ବ । ତେବେ ଏ ସମୟରେ ବିବାହ ପାଇଁ ଆସିଥିବା ଜଣେ ନୁହେଁ ବରଂ ଦୁଇ ଦୁଇ ଜଣ ବରକୁ ହେବାକୁ ପଡ଼ିଛି ହଟହଟ୍ଟା । କାରଣ ଥିଲା ପୋଲିସ । ଆଜ୍ଞା ହଁ, ଅନେକ ସମୟ ଯାଏଁ ବରଯାତ୍ରୀ ଏବଂ ବର ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକି ରହିଲେ । ପୋଲିସ ସହିତ ସେମାନଙ୍କର ବହୁ ଯୁକ୍ତିତର୍କ ମଧ୍ୟ ହେଲା । ମାତ୍ର ଫଳାଫଳରେ ଉଭୟଙ୍କୁ ନିରାଶ ହେବାକୁ ପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଜଳେଶ୍ୱରର ଲକ୍ଷ୍ମଣନାଥ ତନଖି ଫାଟକଠାରେ କଟକଣା ଆଜି କଡ଼ାକଡ଼ି ହୋଇଛି । ପଶ୍ଚିମବଙ୍ଗରୁ ଦାନ୍ତୁଲୁ ଏବଂ ବେଦଲାରୁ ବିବାହ ପାଇଁ ଆସୁଥିଲେ ଦୁଇ ଜଣ ବର । ଦୁଇଟି ଗାଡ଼ିରେ ବରଯାତ୍ରୀ ମଧ୍ୟ ଆସୁଥିଲେ ଓଡ଼ିଶା । ଜଣେ ବର ଦାନ୍ତୁଲୁରୁ ବାଲେଶ୍ୱରକୁ ବାହା ହେବାକୁ ଯାଉଥିବା ବେଳେ ଅନ୍ୟ ଜଣେ ବର ବେଲଦାରୁ ପାରାଦୀପକୁ ଯାଉଥିଲେ । ହେଲେ ରାଜ୍ୟ ସରକାରଙ୍କ ନୂଆ କଟକଣା ନିୟମ ଲାଗୁ ହେବା ପରେ ବଢିଯାଇଛି କଟକଣା । ଫଳରେ ସେମାନେ ଓଡ଼ିଶା ସୀମା ଟପି ପାରିନଥିଲେ । ଅନ୍ୟପଟେ ଆବଶ୍ୟକ କାଗଜପତ୍ର ବି ଦେଖାଇ ପାରି ନଥିଲେ ସେମାନେ । ଏହି କାରଣରୁ ପାରାଦୀପକୁ ଯାଉଥିବା ବର ଫେରି ଯାଇଥିବାବେଳେ ବାଲେଶ୍ୱରକୁ ଯିବା ପାଇଁ ଅପେକ୍ଷା କରିଥିବା ବର ଅଟକି ରହିଥିଲେ ।
ପଶ୍ଚିମବଙ୍ଗର କରନା ସଂକ୍ରମଣ ହାର ଦ୍ୱିଗୁଣିତ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇରେ ଥିବା ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି କରିଦେଇଛି ଓଡ଼ିଶା ସରକାର । ଏହାକୁ ନେଇ ବାଲେଶ୍ୱର-ଦୀଘା ସୀମାନ୍ତ ଉଦୟପୁରରେ ଉତ୍ତେଜନାମୂଳକ ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ବିନା ପୂର୍ବ ସୂଚନାରେ ସୀମା ସିଲ୍ କରାଯାଇଥିବାରୁ ଲୋକେ ଉତ୍ତେଜିତ ହୋଇଥିଲା ବେଳେ ପ୍ରବଳ ହଟ୍ଟଗୋଳ ପରେ ବାଧ୍ୟ ହୋଇ ଅଧ ଘଣ୍ଟା ପାଇଁ ବେଙ୍ଗଲ ସୀମା ବ୍ୟାରିକେଡ୍ ହଟାଇଥିଲା ପୋଲିସ ।
ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇରେ ମୋଟ ୮୨ଟି ଗାଁର ସୀମା ପଶ୍ଚିମବଙ୍ଗକୁ ଲାଗି ରହିଛି । ଏହି ଗାଁ ରାସ୍ତାଗୁଡ଼ିକ ସିଲ କରାଯାଇଥିବା ବେଳେ ମୁଖ୍ୟ ରାସ୍ତା ଦେଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛନ୍ତି ପଶ୍ଚିମବଙ୍ଗ ଲୋକେ । ତେବେ ରାଜ୍ୟ ଭିତରକୁ ପ୍ରବେଶ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ନିଆ ଯାଉଥିବା ବେଳେ ଥର୍ମାଲ ସ୍କ୍ରିନିଂ ବି କରାଯାଉଛି । ଏମିତିକି ଆଜି ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି ।