ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଏବଂ ଦେଶରେ ଏତେ ସଂଖ୍ୟାରେ ନୂଆ କରୋନା ମାମଲା : ଲକଡାଉନ କୋହଳ ନୀତି ଯୋଗୁ ଆଉ ନୁହେଁ ତ !

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୭୩ କରୋନା ମାମଲା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୪ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲାବେଳେ ଲୋକାଲ୍ ମାମଲା ରହିଛି ୨୩ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮୧ରେ ପହଞ୍ଚିଯାଇଛି । ସୁସ୍ଥ ସଂଖ୍ୟା ୧୬୦୪ ହୋଇଥିବାବେଳେ ୧୧୬୭ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଏଯାବତ୍ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଆଜିର ୧୭୩ ଜଣ କରୋନା ଆକ୍ରାନ୍ତଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଜୁନ ୫ ରେ କେବଳ ଭୁବନେଶ୍ଵରରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯେଉଁଥିରୁ ୭ ଜଣ ହୋମ୍ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ୬ ଲୋକାଲ୍ ମାମଲା ରହିଛି ବୋଲି ବି.ଏମ୍.ସି. ତରଫରୁ ସୂଚନା ଦିଆଯାଇଥିଲା । ଏହାପରେ ଟ୍ଵିନ ସିଟି ଭୁବନେଶ୍ୱରର ମୋଟ ମାମଲା ବଢି ବର୍ତ୍ତମାନ ୮୧ ଯେଉଁଥିରୁ ସୁସ୍ଥ ୫୧ ଜଣ, ଚିକିତ୍ସାଧୀନ ୨୭ ଜଣ ଓ ମୃତ ୩ ଜଣ ।

ସାଧାରଣ ଜୀବନ ଓ ଜୀବିକାକୁ ଧ୍ୟାନ ଦେଇ କେନ୍ଦ୍ର ତଥା ରାଜ୍ୟ ସରକାର ଲକଡାଉନ କଟକଣାକୁ ପର୍ଯ୍ୟାୟ କ୍ରମେ କୋହଳ କରି ଚାଲିଛନ୍ତି । ଏଣେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନୁ ଦିନ ବଢିବାରେ ଲାଗିଛି । ଦୁଇ ସପ୍ତାହ ଭିତରେ ଦେଶରେ ଏ ସଂଖ୍ୟା ଲକ୍ଷେକୁ ଟପିଲାଣି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ମାମଲା ୨ ଲକ୍ଷ ୩୬ ହଜାର ଛୁଇଁଛି ଯାହା ଇଟାଲୀ ରେକର୍ଡ଼କୁ ଅତିକ୍ରମ କରିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦେଶରେ ନୂଆ କରୋନା ମାମଲା ୯୮୮୭ ହୋଇଥିଲାବେଳେ ୨୯୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ନିଃସନ୍ଦେହ ଦେଶରେ ସୁସ୍ଥ ହେବା ହାର ବୃଦ୍ଧି ପାଉଛି, କିନ୍ତୁ ଏହା ସହିତ ମୃତକ ଏବଂ ଆକ୍ରାନ୍ତ ସଂଖ୍ୟା ବି ବଢିବାରେ ଲାଗିଛି, ଯାହା ନିହାତି ଚିନ୍ତାଜନକ ବିଷୟ ।

Leave a Reply

Your email address will not be published. Required fields are marked *