କରୋନା ଭାଇରସର ଟିକା ପ୍ରସ୍ତୁତି ପାଇଁ ଆଉ କେତେ ସମୟ ଲାଗିବ ତାହା କହିବା କଷ୍ଟକର ବୋଲି କହିଛନ୍ତି ଗବେଷକମାନେ । କିନ୍ତୁ ଲୋକେ ସେମାନଙ୍କ ସାଧାରଣ ଜୀବନକୁ ଫେରିବା ପାଇଁ ଟିକା ହିଁ ଗୋଟିଏ ମାତ୍ର ଉପାୟ ।
ଏହି ପରିପ୍ରେକ୍ଷୀରେ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାକାଙ୍କ କହିଛନ୍ତି ଯେ କରୋନା ଟିକା ପ୍ରସ୍ତୁତି ପାଇଁ ବ୍ରିଟେନ ତାର ସବୁକିଛି ଲଗାଇଦେଇଛି । ଟିକା ପରୀକ୍ଷା ଆରମ୍ଭ କରାଯାଇଛି । ଟିକା ତିଆରି ପାଇଁ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇସାରିଛି । ପରବର୍ତ୍ତୀ ପର୍ଯ୍ୟାୟରେ, ଅକ୍ସଫୋର୍ଡ ୧୦,୦୦୦ ରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କ ଉପରେ ଗବେଷଣା କରିବ । ମନ୍ତ୍ରୀ ଓ ପରାମର୍ଶଦାତାମାନେ ଏ ବିଷୟକୁ ଅଧିକ ଗୁରୁତ୍ତ୍ଵ ଦେଉଛନ୍ତି ଓ ବେଶୀ ଗମ୍ଭୀର ବି ଅଛନ୍ତି ।

ବ୍ରିଟେନର ଡେପୁଟି ଚିଫ୍ ମେଡିକାଲ୍ ଅଧିକାରୀ ଜୋନାଥନ୍ ଭାନ୍ ଟମ୍ କିଛିଦିନ ପୂର୍ବରୁ ଏପରି କଥା କହିଥିଲେ, ଯାହାକୁ କେହି ଶୁଣିବାକୁ ଚାହୁଁନଥିଲେ । ଚିଫ୍ ମେଡିକାଲ୍ ଅଧିକାରୀ ଜୋନାଥନଙ୍କ କହିବାନୁଯାୟୀ ଟିକା ମିଳିବ ବୋଲି ଆମେ ନିଶ୍ଚିତ ଭାବରେ କହିପାରିବୁ ନାହିଁ । ଟିକା ସବୁବେଳେ ସିଦ୍ଧାନ୍ତ ପାଇଁ ସରଳ, କିନ୍ତୁ ବ୍ୟବହାରିକରେ ଜଟିଳ । ଏକ ଆଦର୍ଶ ଟିକା କେବଳ ସଂକ୍ରମଣରୁ ବଞ୍ଚାଇ ନଥାଏ ବରଂ ସଂକ୍ରମଣକୁ ରୋକିଥାଏ ଏବଂ ନିରାପଦ ମଧ୍ୟ ହୋଇଥାଏ । ତଥାପି, ଏହାକୁ ସଫଳତାର ସହିତ ହାସଲ କରିବା ସେତେ ସହଜ ନୁହେଁ ଯେମିତି ଗଣମାଧ୍ୟମଗୁଡ଼ିକ ଶୀର୍ଷକରେ ଦେଖାଉଛନ୍ତି ।
ବୈଜ୍ଞାନିକମାନଙ୍କ ଅଧୀନକୁ ଆସିଥିବା HIV କୁ ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେଲାଣି ଅଥଚ ଏଯାଏଁ ତା ପାଇଁ ଟିକା କରାଯାଇ ପାରିନାହିଁ । ଡେଙ୍ଗୁ ଜ୍ୱର ସୃଷ୍ଟି କରୁଥିବା ଭାଇରସର ଚିହ୍ନଟ ୧୯୪୩ ମସିହାରୁ ହୋଇସାରିଥିବାବେଳେ ଗତ ବର୍ଷ ଏହାର ପ୍ରଥମ ଟିକା ଅନୁମୋଦନ ମିଳିଥିଲା । ମମ୍ପସ୍ ନାମକ ଏକ ରୋଗ ପାଇଁ ଟିକା ପ୍ରସ୍ତୁତ କରିବାକୁ ସର୍ବନିମ୍ନ ୪ ବର୍ଷ ସମୟ ଲାଗିଥିଲା ।
ବୈଜ୍ଞାନିକମାନେ ବହୁପୂର୍ବରୁ କରୋନା ଭାଇରସ ଟିକା ନିର୍ମାଣ କାର୍ଯ୍ୟରେ ଜୁଟିଛନ୍ତି । Sars ଏବଂ Mers ନାମକ ଦୁଇଟି କରୋନା ଭାଇରସ ଅତୀତରେ ବି ମାରାତ୍ମକ ରୋଗର କାରଣ ହୋଇଥିଲେ ଏବଂ ସେଦିନଠାରୁ ଏହାର ଟିକାକରଣ ଉପରେ କାମ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଲାଇସେନ୍ସ ମିଳିପାରି ନାହିଁ ।