କରୋନାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ : ହେଲେ ଏହାଠାରୁ ଆହୁରି ବଡ଼ ବିପତ୍ତି ଆସୁଛି ବୋଲି ବିଶେଷଜ୍ଞଙ୍କ ଚେତାବନୀ

କରୋନା ଜୀବାଣୁ ଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୧୦ ଲକ୍ଷ ୪୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଛି । ହେଲେ ଏ ସମୟରେ କେତେଜଣ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ କରୋନାରେ ମୃତ୍ୟୁଠାରୁ ବଳି ବଡ଼ ବିପଦ ଆସୁଛି । ‘ଲଙ୍ଗ କୋଭିଡ଼’ କରୋନା ଜନିତ ମୃତ୍ୟୁଠାରୁ ବଡ଼ ବିପତ୍ତି ପ୍ରମାଣିତ ହୋଇପାରେ ।

‘ଲଙ୍ଗ କୋଭିଡ଼’ ଅର୍ଥାତ ସେହି ଅବସ୍ଥା ଯେତେବେଳେ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହେଲାପରେ ବି ତା ଶରୀରରେ କେତେ ପ୍ରକାରର ସମସ୍ୟା ଉପୁଜିଥାଏ ଯାହା ଦୀର୍ଘ ସମୟ ଧରି ରହିଥାଏ । ବ୍ରିଟେନର ଅଗ୍ରଣୀ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାରେ ମୃତ୍ୟୁ ଅପେକ୍ଷା ଏହା ଏକ ବଡ଼ ସମସ୍ୟା ହୋଇପାରେ କାରଣ ଏଭଳି ଲୋକଙ୍କ ସଂଖ୍ୟା ଅଧିକ ରହିବ । ଏମାନେ କରୋନାରୁ ତ ବଞ୍ଚି ଯିବେ ମାତ୍ର କେତେ ପ୍ରକାରେ ଅସୁସ୍ଥ ରହିବେ । ଏହିପରି ଅନେକ ଲୋକ ଅଫିସରେ ପୁଣିଥରେ ଯୋଗ ଦେବାରେ ସମର୍ଥ ହେବେ ନାହିଁ ।

ଯେହେତୁ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବଢିଚାଲିଛି ଏବଂ ସମୁଦାୟ କେତେ ଲୋକ ଏହିରେ ସଂକ୍ରମିତ ହେବେ ତାହା ଅନୁମାନ କରିହେଉନି । ଏହି କାରଣରୁ ‘ଲଙ୍ଗ କୋଭିଡ଼’ର ଶିକାର ହେବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏତେ ସଂଖ୍ୟକ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଅନେକ ଦେଶ ପାଇଁ କଷ୍ଟସାଧ୍ୟ ହୋଇପାରେ ।

ବ୍ରିଟିଶର ଜଣାଶୁଣା ବୈଜ୍ଞାନିକ ଦଳ ସ୍ପେକ୍ଟରର କହିବାନୁଯାୟୀ କରୋନା ଭୂତାଣୁ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଶରୀରର ଅନେକ ଅଂଶକୁ ପ୍ରଭାବିତ କରିଥାଏ । ତେଣୁ କରୋନାରୁ ସୁସ୍ଥ ହେବା ପରେ ବି ବ୍ୟକ୍ତି ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେବାସହିତ କ୍ରମାଗତ ଥକ୍କା ଅନୁଭବ କରେ ଏବଂ ମସ୍ତିଷ୍କ ଜନିତ ସମସ୍ୟାରେ ମଧ୍ୟ ପୀଡ଼ିତ ରୁହେ । ଏସବୁ ସ୍ୱାସ୍ଥ୍ୟଗତ ସମସ୍ଯା ଅନେକ ମାସ ଧରି ଚାଲୁରୁହେ ।

କିଙ୍ଗସ କଲେଜ ଲଣ୍ଡନର ଅନୁସନ୍ଧାନକାରୀମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ କରୋନାରେ ସଂକ୍ରମିତ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣଙ୍କର ‘ଲଙ୍ଗ କୋଭିଡ଼’ ସମସ୍ୟା ରହୁଛି । ଅନୁସନ୍ଧାନକାରୀମାନେ ପ୍ରାୟ ୪୦ ଲକ୍ଷ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ ଓ ଜାଣିବାକୁ ପାଇଲେ ଯେ ପ୍ରତି ୫୦ ଜଣଙ୍କ ମଧ୍ୟରୁ ଜଣେ ତିନି ମାସ ପରେ ମଧ୍ୟ ‘ଲଙ୍ଗ କୋଭିଡ଼’ ସହିତ ସଂଘର୍ଷ କରୁଛି ।

ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ ମହିଳାମାନେ ‘ଲଙ୍ଗ କୋଭିଡ଼’ର ଶିକାର ହେବା ସମ୍ଭାବନା ବେଶୀ ଏବଂ ହାରାହାରି ୪୫ ବର୍ଷ ବୟସ୍କାମାନଙ୍କ ଏହାର ନିଶ୍ଚିତନ୍ତା ଅଧିକ । ବ୍ରିଟେନର ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜ୍ କହିଛି ଯେ ‘ଲଙ୍ଗ କୋଭିଡ଼’ ସମ୍ପର୍କରେ ଅଧିକ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କୁ ଅଧିକ ସଚେତନମୂଳକ କାମ କରିବା ଜରୁରୀ ।

Leave a Reply

Your email address will not be published. Required fields are marked *