ଭାରତରେ କରୋନାଭାଇରସ ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡ଼ି ଥିଲାବେଳେ ଭାରତୀୟ କ୍ରିକେଟରମାନେ ଆଗକୁ ଆସି ସହଯୋଗର ହାତ ବଢାଇଛନ୍ତି । ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହିତ ରିଲିଫ ପାଣ୍ଠିକୁ ଆର୍ଥିକ ସହଯୋଗ ଯୋଗାଇ ଦେଇଛନ୍ତି ।
ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲି ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ବିରାଟ କହିଛନ୍ତି ଯେ ଅନୁଷ୍କା ଓ ସେ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀ (ମହାରାଷ୍ଟ୍ର)ଙ୍କ ରିଲିଫ ପାଣ୍ଠିକୁ ଦାନ କରିଛୁ । ଦେଶରେ ଏଭଳି ପରିବେଶ ଦେଖିବା ତାଙ୍କ ହୃଦୟକୁ ଆଘାତ ଦେଇଛି । ତଥାପି ଆଶା ଯେ ତାଙ୍କ ଦ୍ୱାରା ଦାନ କରାଯାଇଥିବା ଧନରାଶି କିଛି ଲୋକଙ୍କ ଉପକାରରେ ଲାଗିବ ବୋଲି କୋହଲି ନିଜ କଥାରେ ଯୋଡ଼ିଛନ୍ତି ।

ଜଣେ କ୍ରିକେଟ ଖେଳାଳି ହିସାବରେ ନୁହେଁ ବରଂ ଭାରତୀୟ ନାଗରିକ ହୋଇ ସରକାରଙ୍କ ତାଲାବନ୍ଦ ନିୟମ ମାନୁଛି ଓ ଜନସାଧାରଣଙ୍କଠାରୁ ବି ସମାନ ଆଶା ରଖୁଛି ବୋଲି ବିରାଟ କହିଛନ୍ତି । ଏକ ଭିଡ଼ିଓ ମାଧ୍ୟମରେ ସେ ସାରା ଦେଶବାସୀଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ଅନୁରୋଧ କରିଛନ୍ତି ଓ ନିୟମ ଉଲଂଘନ ଦେଶଦ୍ରୋହ ସହିତ ସମାନ ବୋଲି ବି କହିଛନ୍ତି ।