କାହାର ଛତ୍ରଛାୟା ତଳେ ଚାଲିଛି ରାଜଧାନୀରେ ନକଲି ନୋଟର କାରବାର, କେବେ ଧରାପଡିବେ ଏହି ଅପରାଧୀ..

ସଂସ୍କାର : ସାବଧାନ ହୋଇଯାଆନ୍ତୁ ଛୋଟ ବ୍ୟବସାୟୀ। ରାଜ୍ୟ ରାଜଧାନୀରେ ଚାଲିଛି ନକଲି ନୋଟର କାରବାର। ବିଚ୍ ବଜାର ଉପରେ ରାତାରାତି କରୁଛନ୍ତି ଅପରାଧୀ ନକଲି ନୋଟର ବେପାର। ଏହି ଅପରାଧୀ କରୁଛନ୍ତି ଛୋଟ ବ୍ୟବସାୟୀଙ୍କୁ ଟାର୍ଗେଟ। ରାସ୍ତା ପାର୍ଶ୍ଵରେ ବସୁଥିବା ଛୋଟ ବ୍ୟବସାୟୀଙ୍କ ଆଖିରେ ଧୂଳି ଦେଇ କରୁଛନ୍ତି ସେମାନଙ୍କର ଅପରାଧିକ କାର୍ଯ୍ୟ। ଖୋଦ ରାଜ୍ୟ ରାଜଧାନୀରେ ଚାଲିଛି ଖୁଲମଖୁଲା ନକଲି ନୋଟର କାରବାର।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଚକେଇଶେଣୀ ଅଞ୍ଚଳରେ। ଜଣେ ୫୦ ବର୍ଷୀୟ ବୃଦ୍ଧା ହୋଇଛନ୍ତି ଏମାନଙ୍କର ଶିକାର। ଏହି ବୃଦ୍ଧା ମା’ ଜଣଙ୍କ ରାସ୍ତା ପାର୍ଶ୍ଵରେ ଛୋଟ ପନିପରିବା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ କିଛି ଅସାମାଜିକ ତଥା ନକଲି ନୋଟ କାରବାର କରୁଥିବା ଅପରାଧୀ ଏହି ବୃଦ୍ଧାମାଆଙ୍କର ଆଖିରେ ଧୂଳି ଦେଇ ତାଙ୍କୁ ୫୦୦ ଟଙ୍କିଆ ନକିଲ ନୋଟ ଦେଇଛନ୍ତି।

ବୃଦ୍ଧା ମା’ ଜଣଙ୍କର କହିବା ଅନୁଯାୟୀ, ତିନିଜଣ ଲୋକ ବାଇକରେ ଆସି ତାଙ୍କ ଠାରୁ ପନିପରିବା ୧୫୦ ଟଙ୍କାର ନେଲେ ଆଉ ତାଙ୍କୁ ପ୍ରତିବଦଳରେ ୫୦୦ ଟଙ୍କିଆ ନୋଟଟେ ଦେଲେ। ଆଉ ବଳକା ପଇସା ନେଇଗଲେ। ତାଙ୍କ ଦୋକାନରେ ଭିଡ଼ ଥିବାରୁ ସେ ଆଉ ୫୦୦ ଟଙ୍କିଆଟିକୁ ପରଖି ପାରିଲେ ନାହିଁ। ବିଶ୍ୱାସ କରି ରଖିଦେଲେ ଆଉ ବଳକା ପଇସା ହିସାବ କରି ସେମାନଙ୍କୁ ଦେଇଦେଲେ। କିନ୍ତୁ ଦୋକାନ ବନ୍ଦ କରି ଯେତେବେଳେ ସେ ଘରକୁ ଫେରିଲେ ସେ ଦେଖିଲେ ଯେ ତାଙ୍କୁ କିଏ ଜଣେ ୫୦୦ ଟଙ୍କିଆଟେ ନକଲି ଦେଇଦେଇଛି। ଆଉ ବୃଦ୍ଧା ମହିଳାଙ୍କର ମନେ ପଡିଗଲା ଯେ, ବାଇକରେ ଆସିଥିବା ୩ ଜଣ ଲୋକଙ୍କର କଥା। ଆଉ ସେ ସଂଗେ ସଂଗେ ଜାଣିଦେଲେ ଯେ ତାଙ୍କ ସହିତ ଫ୍ରଡ଼ ହୋଇଛି।

ତେବେ ବୃଦ୍ଧା ଜଣଙ୍କ ପ୍ରତିଦିନ ଭଳି ଗତକାଲି ବି ସନ୍ଧ୍ୟା ସମୟରେ ପନିପରିବା ବିକ୍ରି କରୁଥିଲେ ଆଉ ସେ ମୋଟ୍ ନିଜର ମୂଳ ପଇସାକୁ ମିଶାଇ ୨୨୦୦ ରୁ ୨୫୦୦ ଟଙ୍କା ଆୟ କରିଥିଲେ। ଆଉ ସେଥିରେ ଗୋଟିଏ ହିଁ ୫୦୦ ଟଙ୍କିଆ ନୋଟ ଥିଲା। ତେବେ ଏମିତି ଅନେକ ଅପରାଧୀ ଭିଡ଼ ଦେଖି ନକଲି ନୋଟ ବ୍ୟବସାୟ ଚଳାଉଛନ୍ତି। ଆଉ ସେମାନଙ୍କର ନକଲି ନୋଟକୁ ଅସଲି ଭଳି ଭିଡ଼ ଭିତରେ ଚଳାଉଛନ୍ତି।

ତେବେ ମାଆ ଜଣଙ୍କ କହିଛନ୍ତି ଯେ, ତାଙ୍କର ଦୁଇ ଦିନର ଆୟ ନେଇଗଲା ସେହି ଅସାମାଜିକ ଲୋକ, ଯିଏକି ତାଙ୍କୁ ନକଲି ୫୦୦ ଟଙ୍କିଆ ନୋଟ୍ ଦେଇ ଚୂନ ଲଗାଇଛି।ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଏହା ଯେ, କାହାର ଛତ୍ରଛାୟା ତଳେ ଚାଲିଛି ରାଜଧାନୀରେ ଏଭଳି ନକଲି ନୋଟର କାରବାର ? କେବେ ଏମାନଙ୍କୁ ଗିରଫ କରିବ ପୋଲିସ୍? ଆଉ କେତେ ଜଣଙ୍କ ଆଖିରେ ଏଭଳି ଧୂଳି ଦେଇ ନିଜର ଧନ୍ଦା ଚଲାଇବେ ନକଲି ନୋଟର ବ୍ୟବସାୟୀ ? କଣ ପୋଲିସ୍ ଏସବୁ ଘଟଣା ବିଷୟରେ ଜାଣିପାରୁନି କି ?

Leave a Reply

Your email address will not be published. Required fields are marked *