ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ କୋଭିଡ଼ ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଓ ମାଡ଼ ମରା ଯାଉଥିବାର ଭିଡ଼ିଓ ଏବେ ଘୁରି ବୁଲୁଛି ସୋସିଆଲ ମିଡ଼ିଆରେ । ୩୦ ସେକେଣ୍ଡର ଏହି ଭିଡ଼ିଓରେ ଦେଖାଯାଇଛି ଯେ PPE କିଟ ପିନ୍ଧିଥିବା ଜଣେ ଡାକ୍ତର କରୋନା ରୋଗୀଙ୍କ ଛାତି ଉପରେ ଗୋଡ ରଖି ମାଡ଼ି ବସିଛନ୍ତି ଓ ଚାପୁଡ଼ା ମାରୁଛନ୍ତି । ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଏବଂ ସୁରକ୍ଷା କର୍ମୀମାନେ ବି ବାଡ଼ିରେ ମାଡ଼ ମାରୁଥିବା ଦେଖାଯାଇଛି ।
ତେବେ ସୂଚନା ଅନୁଯାୟୀ କରୋନାରେ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଗୁରୁବାର ଦିନ କହିଥିଲେ । ତେବେ ଭିଡ଼ିଓ ଭାଇରାଲ ହେବା ପରେ ପରିବାର ଲୋକେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନାଥାଉ ଯେ ଭିଡ଼ିଓଟିକୁ କେତେକ ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି ।
ଭିଡ଼ିଓରେ ଥିବା ରୋଗୀ ଜଣକ ହେଲେ ପ୍ରଭା ଶଙ୍କର ପାଟିଲ (୩୮) । ସେପ୍ଟେମ୍ବର ୮ ତାରିଖରେ ଗିରିରାଜ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ କିଡ଼ନୀ ପ୍ରକ୍ରିୟା କରିବା ପରେ ସେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ । ସେପ୍ଟେମ୍ବର ୯ ତାରିଖରେ ଏକ ୫୫ ସେକେଣ୍ଡର ଭିଡ଼ିଓରେ ତାଙ୍କୁ ନିଷ୍ଠୁର ଭାବରେ ମାଡ଼ ମାରିବାର ଦୃଶ୍ୟ ସାମ୍ନାକୁ ଆସିଲା ।
ସେପ୍ଟେମ୍ବର ୧୨ ତାରିଖରେ ପାଟିଲଙ୍କ ଦେହାନ୍ତ ହୋଇଥିଲା ଓ ଗୁରୁବାର ଦିନ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକ ଏହାକୁ ପ୍ରସାରଣ କଲାପରେ ଡାକ୍ତରଖାନା ପ୍ରଶାସନକୁ ସ୍ପଷ୍ଟ କରିବାକୁ କହିଥିଲେ ଯେ କର୍ମଚାରୀମାନେ କେବଳ ରୋଗୀଙ୍କୁ “ଆକଟ” କରୁଛନ୍ତି ।