କାଳୀ ପୂଜା କାରଣରୁ କ୍ରିକେଟର ଶାକିବ ଅଲ ହସନଙ୍କୁ ହତ୍ୟା ଧମକ : ଘଟଣା ପରେ ଶାକିବ କହିଲେ “ଇସଲାମ ମୋର ଧର୍ମ”

ବାଂଲାଦେଶ ସିଲହେଟରରେ ରହୁଥିବା ଜଣେ ବ୍ୟକ୍ତି କ୍ରିକେଟ୍ ଅଲରାଉଣ୍ଡର ଶାକିବ ଅଲ ହସନଙ୍କୁ ଜୀବନରୁ ମାରି ଧମକ ଦେଇଛନ୍ତି । ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ଶାକିବ ଅଲ ହସନ କୋଲକାତାରେ ଏକ କାଳୀ ପୂଜା ସମାରୋହର ଉଦଘାଟନ କରିଥିଲେ ଯେଉଁଥିପାଇଁ ତାଙ୍କୁ ଏମିତି ଧମକ ମିଳିଛି । ଧମକେଇ ଥିବା ବ୍ୟକ୍ତି ଜଣକ ଏକ ଲାଇଭ୍ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଜରି କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାମ ମୋହସିନ୍ ତାଲୁକଦାର ଓ ସେ ତୁକେରବଜାର ଶାହପୁର ତାଲୁକଦାରପରାରେ ରୁହନ୍ତି ।

ମୋହସିନ୍ ତାଙ୍କ ଫେସବୁକରେ ଏକ ଲାଇଭ୍ ଭିଡ଼ିଓ ମାଧ୍ୟମରେ କ୍ରିକେଟର ଶାକିବ ଅଲଙ୍କୁ ଅନେକ ଗାଳିଗୁଲଜ କରିଥିଲେ । କୋଲକାତାର ଏକ ମଣ୍ଡପରେ କାଳୀ ପୂଜାର ଉଦଘାଟନ ବିଷୟକୁ ନେଇ ତାଙ୍କୁ ହତ୍ୟା କରିବାକୁ ଧମକ ବି ଦେଇଥିଲେ । କେବଳ ସେତିକି ନୁହେଁ ହାତରେ ଏକ ଧାରୁଆ ଅସ୍ତ୍ର ବି ଧରିଥିଲେ, ଯାହାକୁ ସେ ବୁଲାଇ ବୁଲାଇ ଲାଇଭ୍ କରୁଥିଲେ । ସେ କହିଛନ୍ତି ଯେ ଶାକିବ ହସନ କାଳୀ ପୂଜାର ଉଦଘାଟନ କରି ମୁସଲମାନମାନଙ୍କ ଭାବନାକୁ ଅପମାନିତ କରିଛନ୍ତି, ତେଣୁ ତାଙ୍କୁ ହତ୍ୟା କରାଯିବା ଉଚିତ ।

ଏତିକିରେ ସରିନଥିଲା ଉକ୍ତ ବ୍ୟକ୍ତି ଜଣକ ଆକ୍ରୋଶ । ସେ କହିଥିଲେ ଯେ ଯଦି ଶାକିବଙ୍କୁ ସେ ଭେଟନ୍ତି ତେବେ ତାଙ୍କୁ ସିଧା ହାଣି ଦେବେ । ଆହୁରି ବି କହିଛନ୍ତି ଯେ ମୁସଲମାନମାନଙ୍କ ଭାବନାକୁ ଆଘାତ ଦେଇଥିବାରୁ ଶାକିବଙ୍କୁ କ୍ଷମା ମାଗିବାକୁ ପଡ଼ିବ । ତେବେ ଖବର ଅନୁଯାୟୀ ଗୁରୁବାର, ନଭେମ୍ବର ୧୨ ତାରିଖ ଦିନ କୋଲକାତାରେ ଶାକିବଙ୍କ ଦ୍ଵାରା ଏକ କାଳୀ ପୂଜା ଉଦଘାଟନ କରାଯାଇଥିଲା, ଏହା ପରେ ସେଠାରେ ଥିବା ଅନେକ ମୁସଲମାନମାନେ ମଧ୍ୟ ତାଙ୍କ ଉପରେ ରାଗିଥିଲେ ।

ଅମରା ଶୋବାଇ କ୍ଲବ’ର ୫୯ ତମ ଶ୍ୟାମା ପୂଜାରେ ଶାକିବ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ପୂର୍ବ କୋଲକାତାର କାନକୁରଗାଚି ଠାରେ ହୋଇଥିଲା । ଖବରରେ କୁହାଯାଉଛି କି କିମ୍ବଦନ୍ତୀ କ୍ରିକେଟର ରିବନ୍ କାଟି ଦୀପ ଜାଳି ଏହି ସମାରୋହର ଉଦଘାଟନ କରିଥିଲେ । ଶାକିବ ଅଲ ହସନ କହିଛନ୍ତି ଯେ ଏହି ପୂଜାପାଠକୁ କୋଲକାତାର ମେୟର ଫିରହାଦ୍ ହାକିମ ଉଦଘାଟନ କରିଥିଲେ ଏବଂ ସେ ସେଠାରେ ମୁଖ୍ୟ ଅତିଥି ନଥିଲେ । ତେବେ ସେ କ୍ଷମା ମାଗିଛନ୍ତି ଓ କହିଛନ୍ତି ଯେ ସେ ମୁସଲମାନ ଏବଂ ସର୍ବଦା ତାଙ୍କ ଧର୍ମ ପାଳନ କରନ୍ତି ।

ଧମକ ଦେଉଥିବା ମୋହସିନ୍ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଶାକିବ ହଜ୍ ଯାଇଥିଲେ ସେତେବେଳେ ସେ ବହୁତ ଖୁସି ଥିଲେ । କ୍ଷମା ମାଗିବା ପରଦିନ ପୁଣି ଲାଇଭ୍ ଆସି ମୋହସିନ୍ କହିଛନ୍ତି ଯେ କାହାକୁ ହତ୍ୟା ଧମକ ଦେବା ଠିକ୍ ନୁହେଁ । ସେ ବି କ୍ଷମା ମାଗି କହିଛନ୍ତି ଯେ ସେ କେବଳ ଶାକିବଙ୍କୁ ମାର୍ଗଦର୍ଶନ କରିବା ପାଇଁ ଆଲ୍ଲାହାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଅନ୍ୟପକ୍ଷରେ ମୋହସିନ୍ ପରିବାର ଲୋକେ କହିଛନ୍ତି ଯେ ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । ଏମିତିକି ତାଙ୍କ ଗିରଫଦାରୀ ପାଇଁ ପୋଲିସ ଏକ ମାମଲା ରୁଜୁ କରି ଗୋଟିଏ ଦଳକୁ ନିୟୋଜିତ କରିଛି ।

Leave a Reply

Your email address will not be published. Required fields are marked *