ଭଲପାଇବାକୁ ନେଇ ଆଉ ଏକ ଅପରାଧ! ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ଏପରି ଜଘର୍ଣ୍ୟ ଅପରାଧ ଆଖି ସାମ୍ନାକୁ ଆସୁଛି ଯାହା ସବୁ ଶୁଣିବା ପରେ ବୋଧ ହୁଏ ଆପଣ ବି କହିବେ ଏଗୁଡ଼ା ସବୁ ପ୍ରେମିକ ନା ଜେଲ୍ ରୁ ମୁକୁଳି ଥିବା କୟେଦି । ତେବେ ଠିକ୍ ଏହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ଯେଉଁଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ନିର୍ମମ ଭାବେ ଆକ୍ରମଣ କରିଛି ।
ଭାଗ୍ୟ ତ ଭଲ ଥିଲା ଯୁବତୀ ଜଣକ ବଞ୍ଚି ଯାଇଛନ୍ତି । ଯୁବତୀ ଜଣଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ହେଲେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏଏମ୍ ସି କୁ ସ୍ଥାନାନ୍ତରିତ କରା ଯାଇଛି ।
ଯାଜପୁର ଜିଲ୍ଲାର ଜଣେ ଯୁବତୀ ଖୋର୍ଦ୍ଧାରେ ଏକ ଗାଡ଼ି ଶୋ ରୁମ୍ ରେ କାମ କରୁଥିଲେ । ଗତ କାଲି ସେ ଶୋ ରୁମ୍ ର ଡିୟୁଟି ସାରି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପାଇଁ ଶୋ ରୁମ୍ ରୁ ବାହାରକୁ ଯାଇଥିଲେ । ଏହି ସମୟରେ ଶୋ ରୁମ୍ ବାହାରେ ଜଗି ରହିଥିଲା ଜଣେ ଯୁବକ । ଯୁବକ ଜଣକ ଯୁବତୀଙ୍କୁ ଡାକି ନେଇ ଯାଇଥିଲେ ବରୁଣେଇ ଆଡ଼କୁ ।
ସୂଚନା ଅନୁସାରେ ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି ଘଟଣା ପାଇଁ ଯୁକ୍ତି ତର୍କ ହୋଇଥିଲା । ଯେଉଁଥିରେ ଯୁବକ ବା ପ୍ରେମିକ ଜଣକ ରାଗି ଯାଇ ପ୍ରେମିକା ଉପରକୁ ଆକ୍ରମଣ କରିଥିଲା । ପ୍ରେମିକ ଜଣକ ପ୍ରାୟ ୧୦ ଥର ଛୁରା ମାଡ କରିଥିଲା ଯୁବତୀ ଜଣଙ୍କୁ । ସେଠାରେ ଯୁବତୀ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଦେଇ ଫେରାର ହୋଇ ଯାଇଥିଲା ଯୁବକ ଜଣକ ।
କିଛି ଲୋକ ଯୁବତୀ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ପୋଲିସ୍ ଦୁର୍ବୃତ୍ତ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରେମିକା ଜଣକର ଚେତା ଫେରିଲେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ପୋଲିସ୍ ବୟାନ୍ ଦେଇଛି ।