ସଂସ୍କାର : ଦେବପୀଠ ନିକଟରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଥିବା ରାମ ମନ୍ଦିର ନିକଟରେ ଘଟିଛି ଏକ ଅଘଟଣ। ରାଜ୍ୟ ଗଣମାଧ୍ୟମ ଓଟିଭିର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରର ରାମ ମନ୍ଦିର ପଛପଟେ ରହିଥିବା ଏକ ଅଳିଆ ଗଦାରୁ ମଣିଷର କଟା ହାତ ଏବଂ କଟା ଗୋଡ଼ ମିଳିଛି। ଏକ ପ୍ରକାରରେ କହିବାକୁ ଗଲେ ରାମ ମନ୍ଦିରର ରାସ୍ତା ପାଶ୍ୱରେ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗ ପଡିଥିବା ଦେଖାଯାଇଛି। ତେବେ ଏଭଳି ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ କେମିତି ଓ କେଉଁଠୁ ଆସିଲା ମଣିଷର ଖଣ୍ଡ ବିଖଣ୍ଡିତ ଶରୀର ତାହାକୁ ନେଇ ସାଧାରଣରେ ଏକ ପ୍ରଶ୍ନ ଆନ୍ଦୋଳିତ କରିଛି।
ତେବେ ଏହି ଅଳିଆ ଗଦାର ବିପରୀତ ପାଶ୍ୱରେ ଏକ ମେଡ଼ିକାଲ କଲେଜ ରହିଥିବାର ଦେଖାଯାଇଛି। ତେବେ ଏହି ମେଡ଼ିକାଲରୁ ଏହି କଟା ହାତ ଗୋଡ଼ ଆସିଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ନିଶ୍ଚୟ ଅଳିଆ ଗଦାରେ ମଣିଷର ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ତେବେ କେଉଁଠୁ ଆସିଛି ଏସବୁ କଟା ଅଙ୍ଗପ୍ରତ୍ୟଙ୍ଗ ? କିଏ ଏଠାରେ ଆଣି ପକାଇଛି ? ନା ଏହାରି ପଛରେ କୌଣସି ରହସ୍ୟ ଲୁଚି ରହିଛି ? ଏହି ସବୁ ପ୍ରଶ୍ନକୁ ନେଇ ପୋଲିସ ଆରମ୍ଭ ହୋଇଛି ଖୋଳତାଡ। ଏନେଇ ଖାରବେଳ ନଗର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଅନ୍ୟପଟେ ଏହି କଟା ହାତ ଗୋଡ଼ଗୁଡିକ ଏମ୍ସ ପଠାଯାଇ ପରୀକ୍ଷା ନିରିକ୍ଷା କରାଯିବ ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି। ପରୀକ୍ଷା କରିବା ପରେ ହିଁ ଏହି କଟା ହାତ ଗୋଡ଼ ପୁରୁଷ କି ସ୍ତ୍ରୀର ସ୍ପଷ୍ଟ ହେବ ।