ହୁସିଆର : ସାଇବର ଠକେଇର ଟାର୍ଗେଟରେ ଏବେ ଫେସବୁକ ଚାଟିଂ

ସାଇବର ଠକେଇ ଟାର୍ଗେଟରେ ଏବେ ସୋସିଆଲ ମିଡ଼ିଆ ଫେସବୁକ । ଦୁର୍ବୃତ୍ତମାନେ ସୋସିଆଲ ମିଡ଼ିଆ ଫେସବୁକକୁ ହ୍ୟାକ୍ କରୁଛନ୍ତି ଏବଂ ଚାଟିଂ କରି ଟଙ୍କା ଲୁଟୁଛନ୍ତି । ଅନେକ ନିରୀହ ଏ ଫାଶରେ ପଡ଼ି ହରାଉଛନ୍ତି ଅର୍ଥ । ଏପରି ମାମଲା ସାମ୍ନାକୁ ଆସିଛି ଜୟପୁରରେ । ଏକାଧିକ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହେବା ଅଭିଯୋଗ ପହଞ୍ଚିଛି ଥାନାରେ । ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।

ସେମିତିରେ ସୋସିଆଲ ମିଡ଼ିଆର କ୍ରେଜ ତ ପିଲାଙ୍କଠୁ ବୁଢା ଯାଏଁ ଥିଲା । ଏବେ ପୁଣି ଏ ଲକଡାଉନ ପରିସ୍ଥିତିରେ  ଲୋକପ୍ରିୟ ସୋସିଆଲ ମିଡ଼ିଆ ଫେସବୁକ ବ୍ୟବହାର କରିବାରେ ସମସ୍ତେ ମଶଗୁଲ । ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠିଛନ୍ତି ସାଇବର ଲୁଟେରା । ନିର୍ଦ୍ଦିଷ୍ଟ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ କରି ସେଥିରେ ଥିବା ବନ୍ଧୁମାନଙ୍କ ସହିତ ଚାଟ କରୁଛନ୍ତି । ପରେ ଅସୁବିଧାରେ ପଡ଼ିଥିବା ଦର୍ଶାଇ ଟଙ୍କା ମାଗୁଛନ୍ତି । ଟଙ୍କା ନେବା ପାଇଁ ସେମାନେ ଗୁଗୁଲପେ’ ଏବଂ ଫୋନପେ’ ଆପ ବ୍ୟବହାର କରୁଛନ୍ତି ।

ଏହାବ୍ୟତୀତ କେତେକ ତ ବ୍ୟାଙ୍କ ଆକାଉଣ୍ଟ ବି ଦେଉଛନ୍ତି ଓ ଟଙ୍କା ଟ୍ରାନ୍ସଫର ପାଇଁ କହୁଛନ୍ତି । ଏପରି ଦୁର୍ବୃତ୍ତଙ୍କ ଫାଶରେ କିନ୍ତୁ କୋରାପୁଟ ଜିଲ୍ଲା ବିଶେଷ କରି ଜୟପୁର ସହରର ଏକାଧିକ ଲୋକ ଫସି ଯାଇଛନ୍ତି । ସେମାନଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହେବା ପରେ ସେମାନେ ଜୟପୁର ଟାଉନ ଥାନାରେ ଏ ସମ୍ପର୍କରେ ଏକ ମାମଲା ଦାଖଲ କରିଛନ୍ତି ।

ତେବେ ଜୟପୁର ଟାଉନ ଥାନା ଅଧିକାରୀଙ୍କ କହିବାନୁସାରେ ତଦନ୍ତ ଆରମ୍ଭ ହୋଇଯାଇଛି । ରାଜ୍ୟ ବାହାରର କିଛି ଦୁର୍ବୃତ୍ତ ଏ ମାମଲାରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମାମଲାଟି ସାଇବର ସେଲକୁ ହସ୍ତାନ୍ତର କରାଯାଇଥିବେଳେ ଫେସବୁକ ମେସେଞ୍ଜରରେ କେହି ଟଙ୍କା ମାଗିଲେ ପ୍ରଥମେ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନରେ ଯୋଗାଯୋଗ କରନ୍ତୁ ଏବଂ ଅଚିହ୍ନା ଲୋକଙ୍କ ମେସେଜକୁ ରିପ୍ଲାଏ ନକରିବାକୁ ପରାମର୍ଶ ଦେଇଛନ୍ତି ଥାନା ଅଧିକାରୀ ।

ସୂଚନା ଥାଉ ଯେ ଅଧିକାଂଶ ଲୋକ ମୋବାଇଲ, କମ୍ପୁଟର, ଲ୍ୟାପଟପ ଆଦି ଭିନ୍ନ ଭିନ୍ନ ଉପକରଣରେ ଫେସବୁକ ଖୋଲୁଛନ୍ତି ଓ ବ୍ୟବହାର ସାରି ସାଇନ୍ ଆଉଟ କରୁ ନାହାନ୍ତି । ଏପରିକି ଗୋଟିଏ ପାସୱାର୍ଡ ବ୍ୟବହାର କରୁଛନ୍ତି ଯେଉଁଟା ଦୁବୃତ୍ତଙ୍କ ପାଇଁ ଆକାଉଣ୍ଟ ହ୍ୟାକ୍ କରିବାକୁ ସୁଯୋଗ ଆଣି ଦେଉଛି ଓ ସେମାନଙ୍କୁ ଆକାଉଣ୍ଟ ହ୍ୟାକ୍ କରିବାକୁ ସହଜ ହେଉଛି । ତେଣୁ ବେଳହୁଁ ହୁସିଆର ।

Leave a Reply

Your email address will not be published. Required fields are marked *