ସଂସ୍କାର : ରାଜଧାନୀ ଭୁବନେଶ୍ବରରେ ବର୍ଷକରେ ୧୩କୋଟି ଲୁଟିଛନ୍ତି ସାଇବର ଲୁଟେରା। ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ଲୁଟ କରିଛନ୍ତି ସାଇବର ଲୁଟେରା। ସାଇବର ଲୁଟର ଶିକାର ହୋଇଥିବା ବ୍ୟକ୍ତି ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ବିଭିନ୍ନ ବ୍ୟକ୍ତିଙ୍କଠାରୁ ଲୁଟ ହୋଇଥିବା ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ମଧ୍ୟରୁ ୧ କୋଟି ୨୩ ଲକ୍ଷ ୨ ହଜାର ୮୦୪ ଟଙ୍କା ଲୋକଙ୍କ ପାଖକୁ ଫେରିଛି।
ଅପରପକ୍ଷରେ ସାଇବର ଥାନା ପକ୍ଷରୁ ୧.୪୬କୋଟି ଟଙ୍କା ବ୍ଲକ କରାଯାଇପାରିଛି। ପୁଲିସ ନିକଟକୁ ମୋଟ ୩୮୧୧ ଠକେଇ କଲ୍ ଆସିଥିଲା। ସେଥିମଧ୍ୟରେ ଅର୍ଥନୈତିକ ଠକେଇ କଲ ୩୨୪୬ ଆସିଥିବା ବେଳେ ସୋସିଆଲ ମିଡ଼ିଆ ସମ୍ବନ୍ଧୀୟ ତବେଜି କଲ ୫୬୫ ଆସିଛି। ସାଇବର ପୁଲିସ ନିକଟକୁ ଆସିଥିବା କଲ୍ ମଧ୍ୟରୁ ୫୩ଟିର ମାମଲା ରୁଜୁ ହୋଇଥିଲା। ୫୩ଟି ମାମଲାରୁ ୨୭ଟିରେ ତଦନ୍ତ ସଫଳ ହୋଇଛି ଏବଂ ଏହି ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଛି।
ସାଇବର ଠକେଇ ମଧ୍ୟରୁ କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଠକେଇ ସର୍ବାଧିକ ରହିଛି। ବିହାର, କଲକତା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ସର୍ବାଧିକ ଠକେଇ କଲ ଆସୁଛି। ଏହି ରାଜ୍ୟମାନଙ୍କରେ ଠକମାନେ ରହି ଓଡ଼ିଶାରେ ସାଇବର ଠକେଇ ପାଇଁ ଜାଲ ପକାଉଛନ୍ତି। ଚଳିତ ବର୍ଷ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର ଜିଲାରୁ ସର୍ବାଧିକ ପ୍ରିଏକ୍ଟିଭେଟଡ ସିମ୍ ରାଜ୍ୟ ବାହାରକୁ ଚାଲାଣ ହୋଇଛି। ଏହା ଜରିଆରେ ଠକମାନେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଜଣାପଡ଼ିଛି।
ଭୁବନେଶ୍ୱର ସାଇବର ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି ଯେ ସାଇବର ଲୁଟେରାଙ୍କ ଠାରୁ ନିଜର ସୁରକ୍ଷା ନିମନ୍ତେ ସାଧାରଣ ଲୋକେ ନିଜ ବ୍ୟକ୍ତିଗତ ତଥ୍ୟ କାହାରିକୁ ନ ଦିଅନ୍ତୁ ନାହିଁ। ବ୍ୟାଙ୍କ, ଏଟିଏମ୍, କ୍ରେଡିଟ୍କାର୍ଡ ସମ୍ବନ୍ଧିତ ତଥ୍ୟ ଆଦାନପ୍ରଦାନ ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଫୋନ୍ ଯୋଗେ କେବେହେଲେ ବି ବ୍ୟାଙ୍କ ପକ୍ଷରୁ ତଥ୍ୟ ପଚରା ଯାଇ ନ ଥାଏ। ଲୋକେ ସଜାଗ ରହିଛି ସାଇବର ଠକାମୀରୁ ମୁକ୍ତି ପାଇପାରିବେ ବୋଲି ସାଇବର ଥାନା ଆଇଆଇସି ରଶ୍ମିତା ଜେନା ପ୍ରକାଶ କରିଛନ୍ତି।