ଓଡ଼ିଶାରେ କୌଣସି ବାତ୍ୟା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି IMD ସମେତ ଭାରତର ବିଶିଷ୍ଟ ପାଣିପାଗ ବିଶେଷଜ୍ଞମାନେ । ତେଣୁ ବିଦେଶୀ ପାଣିପାଗ ସଂସ୍ଥାର ପୂର୍ବାନୁମାନକୁ ନେଇ ତଥା ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ତଥା ବିଭିନ୍ନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାରେ ଆଦୌ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।
ସୂଚନାଥାଉ ଯେ ଗତ ଦୁଇ ଦିନ ହେବ ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ (GFS) ମଡେଲ୍ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୩ ତାରିଖ ବେଳକୁ ଓଡ଼ିଶା ଅଥବା ପଶ୍ଚିମବଙ୍ଗ ଉପକୂଳରେ ବାତ୍ୟା ସମ୍ଭାବନା ରହିଛି । ହେଲେ ଭାରତର ସମସ୍ତ ପାଣିପାଗ ସଂସ୍ଥା ଏବଂ ବିଶେଷଜ୍ଞମାନେ ଏ ଅନୁମାନକୁ ଖଣ୍ଡନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ସୂଚନା ନାହିଁ ।
ମିଳିଥିବା ଖବର ମୁତାବକ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଆସନ୍ତା ୭/୮ ତାରିଖ ବେଳକୁ ଆଣ୍ଡାମାନ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପୁଣି ବିଶେଷ ଘନୀଭୂତ ହେବ ନାହିଁ । ଯଦି ବି ଏହା ଘନୀଭୂତ ହୁଏ ତେବେ ଅତିବେଶିରେ ୧୦ ତାରିଖ ବେଳକୁ ଅବପାତ (ଡିପ୍ରେସନ୍)ର ରୂପ ନେଇପାରେ । ହେଲେ ଅବପାତ ପରେ ଏହା ସିଧା ମିଆଁମାର ଆଡ଼କୁ ଗତି କରିବ । ତେଣୁ ଓଡ଼ିଶାକୁ ବାତ୍ୟା ନେଇ କୌଣସି ବିପତ୍ତି ନାହିଁ । ଏମିତିକି ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ବି ହୋଇ ନପାରେ । ବରଂ ଓଲଟି ୧୦/୧୧ ତାରିଖରୁ ରାଜ୍ୟରେ ତାତି ଆଉଥରେ ବଢ଼ି ଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ବର୍ତ୍ତମାନ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ ଏବଂ କେତେକ ସ୍ଥାନରେ କାଳବୈଶାଖୀ ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଉତ୍ତର ଉପକୂଳର କେତେକ ସ୍ଥାନ ସହିତ କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବ୍ୟତୀତ ଉପକୂଳ ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ବି ହୋଇପାରେ ।