ପର ତ ପର ନିଜ ଲୋକ ବି ବିଶ୍ଵାସରେ ବିଷ ଦେବାକୁ ପଛାଉ ନାହାନ୍ତି । ସେହିପରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡିଆ ଗାଁରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ବିଧବା ମହିଳା ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ ଝିଆରି ଆଣି ପାଖରେ ରଖିଥିଲେ । ହେଲେ ଝିଆରି ଜଣକ ପାଖାପାଖି ୨୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଲା ପରେ ବାଧ୍ୟ ହୋଇ ଖୁଡ଼ି ଦ୍ଵାରସ୍ଥ ହୋଇଛନ୍ତି କୋର୍ଟରେ ।
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଝିଆରି ନିବେଦିତା ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଖୁଡ଼ି ଲିଲି ସାହୁଙ୍କ କହିବାନୁସାରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ସେ ନିବେଦିତାକୁ ଆଣି ପାଖରେ ରଖିଥିଲେ । ଖୁଡ଼ି ପାଖରେ ରହୁ ରହୁ ଗଭୀର ବିଶ୍ଵାସ ଜନ୍ମାଇ ସୁନାଗହଣା ସହିତ ଟଙ୍କା ଲୁଟ କରିନେଲା ଝିଆରି ।
ତେବେ ପୋଲିସରେ ଅଭିଯୋଗ କଲା ପରେ ଝିଆରି ନିବେଦିତା ନିକଟରୁ ହିଁ ଚୋରି ଗହଣା ମିଳିଥିଲା । ଏହାପରେ ଖୁଡ଼ି ଲିଲି ସାହୁ ସନ୍ଦେହରେ ନିଜ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ । ଦେଖିଲାବେଳକୁ ପାସବୁକରୁ ୨୩ ଲକ୍ଷ ୯୧ ହଜାର ଟଙ୍କା ନଥିବା ଜାଣି ସେ ନିବେଦିତାକୁ ପଚାରିଥିଲେ । ନିବେଦିତା ମଧ୍ୟ ମାନିଥିଲେ ଯେ ଟଙ୍କା ସେ ନେଇଛନ୍ତି ହେଲେ କଥା ବି ଦେଇଥିଲେ ଫେରାଇବେ ବୋଲି ।
ମାତ୍ର ଘଟଣାର ୪ ବର୍ଷ ପରେ ବି ଝିଆରି ନିବେଦିତା ଟଙ୍କା ନଫେରାଇବାରୁ ଲିଲି ସାହୁ ବାଧ୍ୟ ହୋଇ ଅଦାଲତରେ ପହଞ୍ଚିଲେ । କୋର୍ଟ ନିର୍ଦ୍ଦେଶ ପରେ ଛେଣ୍ଡିପଦା ପୋଲିସ ପୁରା ଘଟଣାର ତଦନ୍ତ କରି ଶେଷରେ ନିବେଦିତା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।