ସଂସ୍କାର : ରାଜ୍ୟରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍ ହେଲାଣି। ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୩୫ ଓ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି।
![](https://sanskarnetwork.in/odia/wp-content/uploads/2022/09/images-11-1.jpeg)
ଏଥିସହ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି। ରାଜଧାନୀରେ ସେଞ୍ଚୁରୀ ମାରିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଜନସାଧାରଣ ଭିତରେ ଭୟ ବଢ଼ିବାରେ ଲାଗିଛି । ଲୋକମାନେ ଡେଙ୍ଗୁ ଆତଙ୍କରେ କଲବଲ ହେଲେଣି । ତଥାପି ବିଏମସିର ନିଦ ଭାଙ୍ଗୁନି ବୋଲି ଅଭିଯୋଗ ହୋଇଛି । ଡେଙ୍ଗୁ ମଶା ନିୟନ୍ତ୍ରଣ ପାଇଁ ନା ବୁଲୁଛି ଟିଫା ମେସିନ୍ । ନା ପଡ଼ୁଛି ମଶା ତେଲ । ଖାଲି ଡ୍ରାଏ ଡେ’ରେ ସୀମିତ ରହି ଯାଇିଛି ବିଏମ୍ସି ।
![](https://sanskarnetwork.in/odia/wp-content/uploads/2022/09/images-13-2.jpeg)
ଏପଟେ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅଣାୟତ୍ତ ହେଲାଣି । ରୋଗୀ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବର୍ତ୍ତମାନ ହସ୍ପିଟାଲରେ ୩୦ ଜଣ ରୋଗୀ ଭର୍ତ୍ତି ଅଛନ୍ତି । ତେବେ ବ୍ଲଡ ବ୍ୟାଙ୍କରେ ପ୍ଲେଟଲେଟ୍ ଅଭାବ ସ୍ଥିତିକୁ ଆହୁରି ସାଂଘାତିକ କରିଛି ।
ସେପଟେ ମାଲକାନଗିରି ଜିଲ୍ଲାର ପିଛା ଛାଡ଼ୁନି ଡେଙ୍ଗୁ ରୋଗ ଆତଙ୍କ। ଗୋଟିଏ ପଟେ ଅଜଣା ରୋଗ ଆତଙ୍କରେ ଲୋକେ କଲବଲ ହେଉଥିବା ବେଳେ ଅନ୍ୟପଟେ ଡରାଉଛି ଡେଙ୍ଗୁ। କ୍ରମଶ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପ୍ରଶାସନ ଆଗରେ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏକ ମାସରୁ ଅଧିକ ସମୟ ହେବ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ।
ଗତ ମାସରେ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସରେ ଏପର୍ଯ୍ୟନ୍ତ ୬୨ଜଣ ରୋଗୀ ଚିହ୍ନଟ ହୋଇ ସାରିଲେଣି।ଏହା ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ପ୍ରତି ମାଷରେ ଏହି ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ହଳଦୀକୁଣ୍ଡ ଅଞ୍ଚଳରେ ଅଜଣା ରୋଗରେ ୮ ଜଣଙ୍କ ଜୀବନ ଗଲାଣି । ଏଣେ ଡେଙ୍ଗୁ ଦାଉ ସାଧୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଜିଲ୍ଲାବାସୀ।
![](https://sanskarnetwork.in/odia/wp-content/uploads/2022/09/n422797758166321355360880372eb7786b7f962693a4dce235fdb63d7a21b20d15012aa1505ddbe42fab9d.jpg)
ଅନ୍ୟପଟେ ଖୁବଶୀଘ୍ର ଆସିବ ଡେଙ୍ଗୁ ପ୍ରତିରୋଧକାରୀ ଟିକା । ଫେଜ-1 ଟ୍ରାଏଲ ଲାଗି ଇଣ୍ଡିଆନ ଇମୁନୋଲୋଜିକାଲସ୍ ଲିମିଟେଡ ବା IILକୁ ମିଳିଛି ଅନୁମତି । IILର ପରିଚାଳନା ନିର୍ଦ୍ଦେଶକ ଡାକ୍ତର କେ. ଆନନ୍ଦ କୁମାର କହିଛନ୍ତି ଯେ ଡେଙ୍ଗୁର ମୁକାବିଲା ଲାଗି IIL ଅଭିଯାନ ଜାରି ରଖିଛି ।
ଡେଙ୍ଗୁ ପ୍ରତିରୋଧକାରୀ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ମିଳିଛି । ଅନ୍ୟାନ୍ୟ ବହୁ ରୋଗର ପ୍ରତିରୋଧକ ଟିକା ରହିଥିବାବେଳେ ଭାରତରେ ଡେଙ୍ଗୁ ପ୍ରତିରୋଧକ ଟିକା ନାହିଁ । ଯଦି ଏହି ଟିକା ଆସିବ ତାହା ଏକ ମାଇଲଖୁଣ୍ଟ ତିଆରି କରିବ।