ଧାମନଗର ଉପନିର୍ବାଚନ : ପ୍ରାର୍ଥୀ ଚୟନ ପାଇଁ ଅଡୁଆରେ BJD !..

ସଂସ୍କାର : ଧାମନଗରରେ ଉପନିର୍ବାଚନ ଲାଗି ବାଜି ସାରିଛି ବିଗୁଲ। ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଏହି ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ମାତ୍ର ବିଜେପିରୁ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ୍ ପ୍ରାର୍ଥୀ ହେବା ଏକ ପ୍ରକାର ଥୟ ହୋଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲାକ ମହାପାତ୍ର ମଧ୍ୟ ଏହି ଘୋଷଣା ପରୋକ୍ଷରେ କରି ସାରିଛନ୍ତି। ତେବେ ବର୍ତ୍ତମାନ ଶାସକ ଦଳ ବିଜେଡିରେ ପ୍ରାର୍ଥି ମନୋନୟନ ନେଇ ଉପରସ୍ତରରେ ଚାଲିଛି ବିଚାରବିମର୍ଶ।

ବିଜେଡି ଦଳ ପକ୍ଷରୁ ଏହି ଉପ ନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ? କେହି ପୁରୁଣା ନା ନୂଆ ମୁହଁକୁ ସୁଯୋଗ ଦିଆଯିବ ? ଯଦି ପୁରୁଣା ତେବେ କାହାକୁ ନେଇ ଉପ ନିର୍ବାଚନ ମଇଦାନକୁ ଓହ୍ଲେଇବ ବିଜେଡି ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜି ହେଉଛନ୍ତି ବିଜୁ ବାହିନୀ। ଏଣୁ ଆଜି ହୋଇ ପାରିନି ପ୍ରାର୍ଥୀ ଘୋଷଣା।

ଉଲ୍ଲେଖଥାଉକି; ଧାମନଗର ଆସନକୁ ନେଇ ବିଜେଡି ଦଳ ୨୦୧୯ରୁ ଚିନ୍ତାରେ ଅଛି । ୨୦୧୯ ମସିହାର ନିର୍ବାଚନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ(ରାଜୁ)ଙ୍କୁ ପ୍ରାର୍ଥୀ କରିଥିଲା ଦଳ। କିନ୍ତୁ ଭଦ୍ରକ ଜିଲାର ୫ରୁ ୪ଟି ଆସନକୁ ବିଜେଡି ଦଖଲକୁ ନେଇଥିବା ବେଳେ ଧାମନଗରରେ ବିଜୁ ବାହିନୀ ଫେଲ୍‌ ମାରିଥିଲା । ପରେ ବିଫଳତାକୁ ନେଇ ଦଳ ଅନେକ ସମୀକ୍ଷା କରିଥିଲା।

୨୦୧୯ ମସିହାର ନିର୍ବାଚନରେ ଦଳର ସଙ୍ଗଠନ ସମ୍ପାଦକ ତଥା ପଡ଼ୋଶୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଧାମନଗରରେ ବିଜେପି ଗଡ଼କୁ ଭାଙ୍ଗିବାକୁ ଆରମ୍ଭ କରିଥିଲେ ପ୍ରୟାସ। ପଞ୍ଚାୟତସ୍ତରୀୟ ନେତାଙ୍କ ଘନଘନ ବୈଠକ କରାଇ ନିଜ ଦଳର କର୍ମୀଙ୍କୁ ଏକଜୁଟ କରିବାର ଯୋଜନା ବି କରିଥିଲେ ସେ।

ପ୍ରଣବ ବାବୁଙ୍କ ଏହି ରଣନୀତି କାମ ଦେଲା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆପଣା ଯାଇଥିବା ଏହି ରଣନୀତି ଦଳକୁୁ ବେଶ୍‌ ସଫଳତା ଦେଇଥିଲା। ବିଜେଡି ଧାମନଗର ପଞ୍ଚାୟତ ସମିତି ଦଖଲ କଲା ଓ ସବୁ ଜିଲା ପରିଷଦ ଆସନ ବି ଦଖଲ କଲା। ଏହା ପରଠାରୁ ଉତ୍ସାହିତ ଥିଲା ବିଜେଡି। ଦୁଇ ନେତାଙ୍କୁ ଧାମନଗର ବାରଣ କରି ସଫଳତା ପାଇଥିବା ଦଳ ୨୦୨୪ରେ ସମ୍ଭବତଃ ଜଣେ ନୂଆ ମୁହଁ ଅଥବା ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଥିଲା। କିନ୍ତୁ ବିଷ୍ଣୁଙ୍କ ବିୟୋଗ ଜନିତ ହଠାତ ଉପନିର୍ବାଚନ ବିଜେଡି ପାଇଁ ଅଡ଼ୁଆ ଆଣିଛି ।

ପଞ୍ଚାୟତ ନିର୍ବାଚନରେ ବିଷ୍ଣୁଙ୍କ ଗଡ଼ ଭାଙ୍ଗିବା ପରେ ଏବେ ସୂରଯଙ୍କ ପାଇଁ ସମ୍ଭାବ୍ୟ ସମବେଦନା ବିଜେଡି ଚାଣକ୍ୟଙ୍କୁ ଚିନ୍ତାରେ ପକାଇଛି । ଉପନିର୍ବାଚନରେ ନୂଆ ମୁହଁ ଦିଆଗଲେ ତା’ର ପ୍ରଭାବ କ’ଣ ରହିବ ସେଥିନେଇ ଢେର ତର୍ଜମା ବି ଚାଲିଛି। ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ; ପୁରୁଣା ମୁହଁ ପ୍ରାର୍ଥୀ ହେବା ସ୍ଥିର ହେଲେ ରାଜୁଙ୍କ କଥା ଆଗକୁ ଆସୁଛି। କାରଣ ୨୦୧୯ରେ ଧାମନଗରରେ ମୁକ୍ତିଙ୍କୁ ଟିକଟ ନ ଦେଇ ଦଳ ରାଜୁଙ୍କୁ ଟିକଟ ଦେଇଥିଲା।

ମୁକ୍ତିଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ସାଂସଦ ହେବାର ସୁଯୋଗ ଦେଇଥିଲା ଦଳ। ୨୦୨୪ରେ ନିର୍ବାଚନ ହୋଇଥିଲେ କଥା ଅଲଗା ହୋଇଥା’ନ୍ତା। ଯେହେତୁ ପତ୍ନୀ ସାଂସଦ ଅଛନ୍ତି ତେଣୁ ମୁକ୍ତିଙ୍କୁ ଟିକଟ ମିଳିବା ସମ୍ଭାବନା କମ୍‍ ବୋଲି କୁହାଯାଉଛି। ଏ ପରିପ୍ରେକ୍ଷୀରେ ଧାମନଗର ରାଜନୀତିର ଅନ୍ୟତମ ବିନ୍ଧାଣି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ଏବର ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନାୟକ (ବୁବୁନ)ଙ୍କ ଭୂମିକା ଗୁୁରୁତ୍ୱପୂର୍ଣ୍ଣ ହୋଇଛି।

ଧାମନଗରରେ ବିଜେଡିର ବିଧାୟକ ନ ଥିଲେ ବି ବୁବୁନ ପଞ୍ଚାୟତ ସମିତିର ମଙ୍ଗ ଧରି ଅଘୋଷିତ କ୍ଷମତାରେ ଅଛନ୍ତି। ଏଣୁ ବୁବୁନ କାହାକୁ ଚାହୁଁଛନ୍ତି (?) ସେଇଟା ବି ଦଳୀୟ ନେତୃତ୍ୱ ଲାଗି ବଡ଼ ପ୍ରଶ୍ନ। କାରଣ ଅତୀତରେ ବୁବୁନ ବି ବିଦ୍ରୋହୀ ଭୂମିକାରେ ରହି ନିଜର ପତିଆରା ଦେଖାଇ ସାରିଛନ୍ତି। ଏଣୁ ମୋଟାମୋଟି କହିବାକୁ ଗଲେ ପ୍ରାର୍ଥିତ୍ୱକୁ ନେଇ ଦଳ ତ୍ରିଶଙ୍କୁ ଅବସ୍ଥାରେ ଅଛି। ଜିଲାର ୪ ବିଧାୟକଙ୍କ ସହିତ ବିଜେଡି ନେତୃତ୍ୱ ଘନଘନ ବୈଠକ କରୁଛନ୍ତି। ଭିତରେ ଭିତରେ ସରକାରୀ ଗୁଇନ୍ଦା ତଥ୍ୟକୁ ବି ତର୍ଜମା କରାଯାଉଛି।

ରାଜୁ-ମୁକ୍ତି-ବୁବୁନଙ୍କ ସମର୍ଥକଙ୍କ ମତିଗତିକୁ ବି ପରଖୁଛି ଦଳ। ଏପରିସ୍ଥିତିରେ ଏକ ସହମତି ଭିତ୍ତିକ ନିଷ୍ପତ୍ତି ବିଜେଡି ପାଇଁ ଲୋଡ଼ା, ଯାହା ହାସଲ ଲାଗି ଚାଲିଛି କସରତ। ଦିନେ ଅବା ଦୁଇଦିନ ମଧ୍ୟରେ ଏ ବାବଦରେ ଦଳ ନିଷ୍ପତ୍ତି ନେଇପାରେ।

Leave a Reply

Your email address will not be published. Required fields are marked *