ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ଧୋନି ହେବେ ଭାରତର ମାର୍ଗଦର୍ଶକ, ଧୋନିଙ୍କୁ ନେଇ କଣ କହିଲେ ବିସିସିଆଇ ସଚିବ ଜୟ ଶାହା, ଦେଖନ୍ତୁ ଭିଡିଓ

ସଂସ୍କାର : ପୁଣି ଅନ୍ତର୍ଜାତୀୟ ପଡ଼ିଆକୁ ଓହ୍ଲାଇବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। କିନ୍ତୁ ଏଥର ଫିଲ୍ଡରେ ନୁହଁ , ଫିଲ୍ଡ ବାହାରରେ ରହି ନିଜର ଯାଦୁ ଚଲାଇବେ ଧୋନି।

ଗତକାଲି ସନ୍ଧ୍ୟାରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି । ଆଉ ଏହି ଦଳର ମେଣ୍ଟର ବା ମାର୍ଗଦର୍ଶକ ରହିଛନ୍ତି ମାହି। ଏଥର ଟି-୨୦ ବିଶ୍ୱକପ ଲାଗି ବିସିସିଆଇ ଟିମ ଇଣ୍ଡିଆ ସହିତ ମେଣ୍ଟର ଭାବରେ ରହିବା ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସ୍ଥାନ ଦେଇଛି। ଆସନ୍ତା ଟି-୨୦ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟିମ୍ ଇଣ୍ଡିଆର ମେଣ୍ଟର ଭୂମିକାରେ ଦେଖିବାକୁ ମିଳିବ।

ବିସିସିଆଇ ସଚିବ ଜୟ ଶାହା ସଂଯୁକ୍ତ ଆରବ ବା ୟୁଏଇ ଏବଂ ଓମାନରେ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,ଭାରତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟି-୨୦ ବିଶ୍ୱକପ ଲାଗି ମେଣ୍ଟର (ମାର୍ଗଦର୍ଶକ) ହେବେ । ସେ କହିଛନ୍ତି ଯେ, ମୁଁ ତାଙ୍କ ସହିତ ଦୁବାଇରେ କଥା ହୋଇଥିଲି । ସେ କେବଳ ବିଶ୍ୱକପ ଟି-୨୦ ପାଇଁ ମେଣ୍ଟର ଭାବେ ସହମତି ଦେଇଛନ୍ତି । ଏବାବଦରେ ମୁଁ ମୋର ଅନ୍ୟ ବନ୍ଧୁଙ୍କ ସହିତ ଚର୍ଚ୍ଚା କରିଥିଲି । ଏହାରି ଉପରେ ସମସ୍ତେ ସହମତି ଦେଇଥିଲେ । ମୁଁ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ସହିତ ମଧ୍ୟ କଥା ହୋଇଥିଲେ, ଯାହାକି ସେମାନେ ସହମତି ଜଣାଇଥିଲେ ।

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନୀ ଗତବର୍ଷ ଅଗଷ୍ଟ ୧୫ ତାରିଖ ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ଧୋନି ଭାରତ ପାଇଁ ଅନ୍ତିମ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି୨୦ ବିଶ୍ୱକପ, ୨୦୧୧ରେ ଆଇସିସି ଦିନିକିଆ ବିଶ୍ୱକପ ଜିତିଥିଲା । ଧୋନୀ ୩୩୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏଥିରେ ୨୦୦ ଟି ଦିନିକିଆ, ୬୦ଟି ଟେଷ୍ଟ ଏବଂ ୭୨ଟି ଟି-୨୦ ମ୍ୟାଚ୍ ରହିଛି।

Leave a Reply

Your email address will not be published. Required fields are marked *