ଦୀପାବଳି ପରି ଖୁସିର ପରିବେଶରେ ଅନାଥ ହୋଇ ଯାଇଛନ୍ତି ୨ ଝିଅ । ସବୁ ଦିନ ପାଇଁ ହରେଇ ବସିଛନ୍ତି ନିଜ ବାପା ମାଙ୍କୁ। ଦୀପାବଳି ଭଳି ଆଲୋକର ଉତ୍ସବ ତାଙ୍କ ଜୀବନରେ ଆଣି ଦେଇଛି ଘୋର ଅନ୍ଧକାର । କାହାକୁ କହିବେ ସେ ଏକ ଦାରୁଣ ଦୁଃଖ । କିଏ ଆଉ ପୋଛିଦେବ ତାଙ୍କ ଆଖିର ଲୁହ ।
ଭଗବାନ ବି କାହା ସହିତ କେମିତି କା ଖେଳ ଖେଳନ୍ତି ସେ କଥା ସେ ହିଁ ଜାଣନ୍ତି । ଏଭଳି ଏକ ଦାରୁଣ ଦୁଃଖ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବେଳାପଡିଆ ଗାଁରେ । ସେହି ଗାଆଁର ଏକ ପରିବାରରେ ଖେଳି ଯାଇଛି ଦୁଃଖର ଛାୟା ।
ସେହି ପରିବାରରେ ରହୁଥିଲେ ୪ ଜଣ ସଦସ୍ୟ । ସ୍ଵାମୀ, ସ୍ତ୍ରୀ ଓ ତାଙ୍କର ୨ଝିଅ । ସ୍ଵାମୀ ଗୋକୁଳ ଓ ସ୍ତ୍ରୀଙ୍କ ନାମ ଆନନ୍ଦିତା । ଗୋଟିଏ ଝିଅର ବୟସ ୧୩ ବର୍ଷ ହୋଇଥିବା ବେଳେ ଅନ୍ୟ ଏକ ଝିଅର ବୟସ ୭ ବର୍ଷ ।
ଦୀପାବଳି ପାଇଁ ବାଣ କିଣିବା ପାଇଁ ବାପାଙ୍କ ସହ ଦୋକାନ ଯାଇଥାଏ ସାନ ଝିଅ । ବାଣ କିଣିକି ଆଣିଥିଲେ । ରାତିରେ ଦୀପାବଳି ମନେଇ ଥାନ୍ତେ । ମନରେ କେତେ ଖୁସି ଥିଲା ତାଙ୍କର । ହେଲେ ବାଣ କିଣି ଘରକୁ ଫେରିବା ବାଟରେ ସରିଗଲା ସବୁ କିଛି । ଗୋକୁଳଙ୍କ ଗାଡ଼ି ସହ ଧକ୍କା ହୋଇଥିଲା ଅନ୍ୟ ଏକ ଗାଡ଼ି । ଯେଉଁଥିରେ ମୃତ୍ୟୁ ବରଣ କରିଥିଲେ ଗୋକୁଳ । ଯାହାର ଖବର ଶୁଣି ଧର୍ଯ୍ୟହରା ହୋଇ ପଡ଼ିଥିଲେ ତାଙ୍କ ସ୍ତ୍ରୀ ଆନନ୍ଦିତା ।
ସ୍ଵାମୀଙ୍କ ମୃତ୍ୟୁ ଖବରରେ ପୁରା ପୁରି ଭାଙ୍ଗି ଯାଇଥିଲେ ଆନନ୍ଦୀତା । ଏତେ ବଡ଼ ଦୁଃଖ ହୁଏ ତ ସେ ସହି ନ ପାରି ରାତ୍ରି ପ୍ରାୟ ୧୨ଟା ରୁ ୧ ଟା ଭିତରେ ସେ ମଧ୍ୟ ନିଜ ଜୀବନ ହାରି ଦେଇଥିଲେ । ଯାହା ପରେ ଏତେ ବଡ଼ ଦୁନିଆରେ ଏବେ ସମ୍ପୂର୍ଣ ଏକା ହୋଇ ଯାଇଛନ୍ତି ୨ ଝିଅ ।