ଅଧୁନା ସମୟରେ କାହା ହାତରେ ମୋବାଇଲ ଫୋନଟେ ନଥିବ ଏକଥା ଅବିଶ୍ଵସନୀୟ । ପିଲାଠାରୁ ବୁଢା ଯାଏଁ, ଦୋକାନୀ ଠାରୁ ଘରଣୀ ଯାଏଁ, କାମବାଲୀ ଠାରୁ ଅବସର ପ୍ରାପ୍ତ ପ୍ରୌଢ ଯାଏଁ ସଭିଙ୍କ ହାତରେ ଆଣ୍ଡ୍ରଏଡ୍ ଫୋନ । ତେବେ ଆପଣ ଜାଣନ୍ତି କି ଆପଣ ବ୍ୟବହାର କରୁଥିବା ମୋବାଇଲ ସ୍କ୍ରିନ ଉପରେ କରୋନା ଭାଇରସ ଦୀର୍ଘ ୨୮ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରେ । ଏନେଇ ଆମେରିକୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିମାନେ ତେଣୁ ବହୁ ମାତ୍ରାରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
ସୂଚନା ମୁତାବକ କରୋନା ଭାଇରସ ପ୍ଲାଷ୍ଟିକ୍, ଧାତୁ ଏବଂ ଅନ୍ୟାନ୍ୟ ପୃଷ୍ଠରେ ବହୁ ସମୟ ଧରି ସକ୍ରିୟ ରହିପାରେ । ଏନେଇ ଅନେକ ଗବେଷଣା ଅଧ୍ୟୟନ କରାଯାଇଛି । ଯେତେବେଳେ ପୂର୍ବରୁ ବିଭିନ୍ନ ପୃଷ୍ଠରେ କରୋନା ଭାଇରସ ୨୪ ଘଣ୍ଟାରୁ ୩ ଦିନ ଯାଏଁ ସକ୍ରିୟ ରହିପାରେ ବୋଲି କୁହାଯାଉଥିଲା, ସେଇଠି ନିକଟରେ ଅଷ୍ଟ୍ରେଲିଆର ଏକ ସାଇନ୍ସ ଏଜେନ୍ସି ମଧ୍ୟ ଏନେଇ ଅଧ୍ୟୟନ କରିଛି ।
ଅଷ୍ଟ୍ରେଲିଆର ସାଇନ୍ସ ଏଜେନ୍ସିର କହିବାନୁଯାୟୀ ମୋବାଇଲ୍ ସ୍କ୍ରିନ, ନୋଟ୍ କିମ୍ବା ମୁଦ୍ରା ଏବଂ ଅନ୍ୟାନ୍ୟ ପୃଷ୍ଠରେ କରୋନା ଭାଇରସ ପ୍ରାୟ ୨୮ ଦିନ ଯାଏଁ ସକ୍ରିୟ ରହିପାରିବ । ଅନ୍ୟପକ୍ଷରେ ଆମେରିକାର ସଂକ୍ରାମକ ବିଶେଷଜ୍ଞ ଏ ତଥ୍ୟକୁ ‘ସମ୍ପୂର୍ଣ୍ଣ ନିର୍ବୋଧତା’ ବୋଲି କହିଛନ୍ତି । ତେବେ ଅଷ୍ଟ୍ରେଲିଆ ସାଇନ୍ସ ଏଜେନ୍ସିର କହିବା କଥା ହେଲା ଯେ ଅଧ୍ୟୟନ ଅନୁସାରେ ବିଭିନ୍ନ ସ୍ତରର ତାପମାତ୍ରା ଉପରେ କରୋନା ଭାଇରସର ସକ୍ରିୟତା ନିର୍ଭର କରେ ।