ଦେଶରେ ବଢି ଚାଲିଛି ବାର୍ଡ ଫ୍ଲୁ ପ୍ରକୋପ । କେତୋଟି ରାଜ୍ୟରେ ଏନେଇ ହାଇ ଆଲର୍ଟ ଜାରି ହେଲାଣି । ତେବେ ଏଭିଏନ ଇନଫ୍ଲୁଏଞ୍ଜା ଭାଇରସ ଏଚ୍୫ଏନ୧ ଯୋଗୁ ଏହି ବାର୍ଡ ଫ୍ଲୁ ହୋଇଥାଏ । ଏ ଭାଇରସ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ପକ୍ଷୀ, ପଶୁ ଏମିତିକି ମଣିଷ ମଧ୍ୟ ସଂକ୍ରମିତ ହୋଇ ଯାଇଥାଏ । ସେପଟେ କେତେଟା ରାଜ୍ୟରେ ସରକାର ପକ୍ଷୀମାରଣ ଅଭିଯାନ ହାତକୁ ନେଇଛନ୍ତି ।

ସୂଚନା ଅନୁସାରେ ବାର୍ଡ ଫ୍ଲୁ ଅନେକ ପ୍ରକାରର । ସେମାନଙ୍କ ମଧ୍ୟରୁ ଏଚ୍୫ଏନ୧ଅର୍ଥାତ୍ ପ୍ରଥମ ଏଭିଏନ ଇଫ୍ଲୁଏଞ୍ଜା ମଣିଷକୁ ସଂକ୍ରମଣ ହୁଏ ଏବଂ କୁକୁଡ଼ା ଠାରେ ସହଜରେ ବ୍ୟାପିଥାଏ । ସଂକ୍ରମଣ ପକ୍ଷୀଙ୍କ ମଳ, ନାକରୁ ବୋହୁଥିବା ପାଣି ଏବଂ ମୁହଁରୁ ବାହାରୁଥିବା ଲାଳ ସଂସ୍ପର୍ଶରେ ଯଦି ମଣିଷ ଆସେ ତେବେ ସେ ବି ସଂକ୍ରମିତ ହୋଇଯାଏ । ଏହି ଭାଇରସ ବିପଦଜନକ ଅଟେ, ଦରକାର ପଡ଼ିଲେ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ । ତେବେ କୁକୁଡା ପାଳନ କରୁଥିବା ଚାଷୀଙ୍କ ପ୍ରତି ଏହା ବେଶୀ ବିପଦ ସୃଷ୍ଟି କରେ ।

ଏହାସହିତ ଅଧା ରନ୍ଧା କୁକୁଡା ମାଂସ ତଥା ଅଣ୍ଡାରୁ ମଧ୍ୟ ଏହା ବ୍ୟାପିଥାଏ । ସେହିପରି ସଂକ୍ରମିତ ରୋଗୀଙ୍କ ଦେଖାଶୁଣା କରୁଥିବା ଲୋକ ସଂକ୍ରମିତ ହେବାର ସମ୍ଭାବନା ଅଧିକ । କୌଣସି ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ ହେଲେ ତାଙ୍କଠାରେ ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, କଫ, ପତଳା ଝାଡ଼ା, ବାନ୍ତି, ମୁଣ୍ଡ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା, ଗଳା ଖସଖସ, ନାକରୁ ପାଣି ବହିବା, ଆଖିରେ ସଂକ୍ରମଣ ଏମିତିକି ନିମୋନିଆ ଆଦି ଲକ୍ଷଣ ମଧ୍ୟ ଦେଖା ଦେଇପାରେ । ଏମାନଙ୍କ ମଧ୍ୟରୁ କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଉପଚାର ହିସାବରେ ହାତକୁ ସାବୁନରେ ପ୍ରାୟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ କିମ୍ବା ସବୁବେଳେ ସାନିଟାଇଜର ପାଖରେ ରଖନ୍ତୁ । ସଂକ୍ରମିତ ପୋଲେଟ୍ରି ଫାର୍ମ ଓ ସେଠାରେ କାମ କରୁଥିବା ଲୋକଙ୍କଠାରୁ ଦୂରେଇ ରହନ୍ତୁ । ଫୁଲ ହାତ ସାର୍ଟ ପିନ୍ଧନ୍ତୁ ଓ ଜୋତାକୁ ବାରମ୍ବାର ଡିସଇନଫେକ୍ଟ କରନ୍ତୁ । କାଶିବା / ଛିଙ୍କିବା ବେଳେ ମୁହଁରେ ହାତ ଦିଅନ୍ତୁ । ସୂଚନାଥାଉ ଯେ ବାର୍ଡ ଫ୍ଲୁ ପାଇଁ କୌଣସି ଟିକା ନାହିଁ ।