ନୂଆଦିଲ୍ଲୀ : ଲକଡାଉନ ସମୟରେ ଏହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ଦିଲ୍ଲୀ ପୋଲିସ ଡ୍ରୋନ୍ ବ୍ୟବହାର କରୁଛି । କିନ୍ତୁ ଏଥର ଡ୍ରୋନ୍ ମାମୁଲି ଡ୍ରୋନ ନୁହେଁ, ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ସ୍ମାର୍ଟ । ୨୯ ଅପ୍ରେଲ ଅପରାହ୍ନରେ ଦିଲ୍ଲୀ ଦକ୍ଷିଣର ଶାହାପୁର ଜାଟ ପାର୍କରେ କିଛି ଲୋକ ବୁଲୁଥିଲେ । ସେମାନେ ନିଶ୍ଚିନ୍ତ ଥିଲେ ଯେ ସମୟରେ ପୋଲିସ ସେହି ସ୍ଥାନକୁ ଆସିପାରିବ ନାହିଁ । ତେଣୁ ବେଫିକର ସେମାନେ ବୁଲୁଥିଲେ ପାର୍କରେ ହେଲେ ହଠାତ୍ ଆକାଶରୁ ଶବ୍ଦ ଶୁଭିଲା । “ଏଠାରେ ଆପଣମାନେ କଣ କରୁଛନ୍ତି” ଶୁଣି ସେମାନେ ଉପରକୁ ଚାହିଁ ଦେଖନ୍ତି ତ ଡ୍ରୋନରୁ ଶବ୍ଦ ଆସୁଥିଲା, ଆଶ୍ଚର୍ଯ୍ୟ ହୋଇ ସିଧା ଫାଟକ ଦେଇ ସେମାନେ ବାହାରକୁ ଚାଲିଗଲେ ।
ଦିଲ୍ଲୀ ପୋଲିସର ଏହି ଡ୍ରୋନରେ ଲାଇଭ୍ ଷ୍ଟ୍ରିମିଂ ଏବଂ ଲାଇଭ୍ ଘୋଷଣାର ସୁବିଧା ରହିଛି । ପୋଲିସ ଗାଡି ସବୁଆଡେ ପେଟ୍ରୋଲିଂ କରିବା ସମ୍ଭବ ହେଉନାହିଁ, ଯାହାର ସୁଯୋଗ ନେଇ ଲୋକମାନେ ବାହାରକୁ ଆସିବା ଆରମ୍ଭ କରୁଛନ୍ତି । ଯେଉଁଠାରେ ଡ୍ରୋନରୁ ପୋଲିସ ମନିଟରିଂ କରୁଛି ତାହା ହଟ୍ ସ୍ପଟ୍ ଜୋନ୍ । ତଥାପି ଲୋକମାନେ ପାର୍କରେ ବୁଲିବାକୁ ଯାଉଛନ୍ତି । ଏପରି ଲୋକଙ୍କ ପାଇଁ ଡ୍ରୋନ୍ ଏବେ କାଳ ସାଜିଛି । ୮ କିଲୋମିଟର ପର୍ଯ୍ୟନ୍ତ କ୍ଷେତ୍ରକୁ ଏହି ଡ୍ରୋନ କଭର କରୁଛି ।
ଦିଲ୍ଲୀର ମହରୌଲି ଅଞ୍ଚଳରେ ଏକ ନୂଆ ପ୍ରକାରର ଡ୍ରୋନ୍ ଦ୍ୱାରା ପୋଲିସ ତଦାରଖ କରୁଛି । ଡିସିପି ସାଉଥ୍ କହିଛନ୍ତି ଯେ ରାତ୍ରୀ ଉଡ଼ାଣ ସହିତ ଥର୍ମାଲ୍ ଇମେଜିଙ୍ଗ୍ ଏହି ଡ୍ରୋନର କ୍ଷମତା । ଏହା ଲାଇଭ୍ ଫିଡ୍ ସିଷ୍ଟମ ମଧ୍ୟ ପଠାଏ । ଏହାବ୍ୟତୀତ ଏହି ଡ୍ରୋନ ଦ୍ଵାରା ଲାଇଭ୍ ଘୋଷଣା ମଧ୍ୟ କରାଯାଇପାରିବ । ଲକଡାଉନବେଳେ ପୋଲିସକୁ ନିୟମ ଉଲ୍ଲଂଘନକାରୀ ତଥ୍ୟ ଯୋଗାଇବ ଯେତେବେଳେ କି ପୋଲିସକୁ ନିଜେ ଯିବା ଦରକାର ପଡ଼ିବ ନାହିଁ । ୮ କିଲୋମିଟର ଅଞ୍ଚଳ ଏହା ଅତିକ୍ରମ କରିପାରିବ ।