ସଂସ୍କାର : ରାଜ୍ୟରେ ଲାଗିରହିଛି ଲଘୁଚାପ ଜନିତ ବର୍ଷା। ଆଉ ଏହି ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରାଜ୍ୟ ବର୍ତ୍ତମାନ ପାଣିରେ ଉବୁଟୁବୁ ହେଉଛି। ରାଜ୍ୟ ରାଜଧାନୀ ଭୁବନେଶ୍ବରର କଥା ନ କହିଲେ ହେବ। ଏହାରି ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଅବପାତର ରୂପ ନେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହା ପାରାଦୀପ ଠାରୁ ୭୦ କିଲୋମିଟର ପୂର୍ବକୁ କେନ୍ଦ୍ରୀଭୂତ ହୋଇଛି । ଅର୍ଥାତ ପାରାଦୀପଠାରୁ ୭୦ କିମି ଦୂରରେ ରହିଛି ଏହି ଘୂର୍ଣ୍ଣିବଳୟ। ଅନ୍ୟପଟେ ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ତେବେ ଏହି ଘୂର୍ଣ୍ଣିବଳୟ ଚାନ୍ଦବାଲି ସୀମା ଦେଇ ଏହା ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଅଭିମୁଖେ ଅଗ୍ରସର ହେବ। ଏହାରି ପ୍ରଭାବରେ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ଉପକୂଳ ଓଡ଼ିଶାରେ ୫୫ ରୁ ୭୦ କିଲୋମିଟର ବେଗରେ ପବନ ବହିବାରେ ସମ୍ଭାବନା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ କାରଣରୁ ସମୁଦ୍ର ଅଶାନ୍ତ ରହିଛି। ଏଣୁ ଆସନ୍ତା କାଲି ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ଲାଗି ସତର୍କ କରାଇଦିଆଯାଇଛି।
ତେବେ ବର୍ତ୍ତମାନ ସୁଦ୍ଧା ପୁରୀ, ଖୋର୍ଧା, ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି। ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।