ସୃଷ୍ଟିର ସର୍ବଶ୍ରେଷ୍ଠ ସର୍ଜନା କାଳେ ଏ ମଣିଷ ଜାତି । ଏକ ସଂପୂର୍ଣ୍ଣ ରୋଗ ନିରୋଧକ ପ୍ରଚୁର ଶକ୍ତି ସହିତ ଅସୀମ ସାମର୍ଥ୍ୟ ସମ୍ପନ୍ନ ମଣିଷ ଶରୀର । କିନ୍ତୁ ନାନାଦି ନିଶା ଦବ୍ର୍ୟ ସେବନ ଦ୍ଵାରା ଏ ମଣିଷ ନିଜକୁ ନିଜେ ସମାପ୍ତ କରିଚାଲିନି କି? ଆଉ ମଦ ସେମାନଙ୍କ ଭିତରେ ଖୁବ୍ ଲୋକପ୍ରିୟ ।
ମଦରେ ଥିବା ରାସାୟନିକ ପଦାର୍ଥ ଯେ ମଣିଷ ଶରୀରର ଯକୃତ, ମସ୍ତିଷ୍କ, ଅସ୍ଥି ତଥା ହୃତପିଣ୍ଡ ଆଦି ଯେକୌଣସି ଅଙ୍ଗ ଉପରେ କୁପ୍ରଭାବ ପକାଇପାରେ ତାହା କଣ ସତରେ ମଣିଷକୁ ଅଛପା ! ଏହି କୁପ୍ରଭାବ କ୍ଷଣସ୍ଥାୟୀ ହୋଇପାରେ, ଦୀର୍ଘକାଳୀନ ବି ।
ପ୍ରଭାବ :
ମଦ ପିଇବା ଦ୍ୱାରା ଯେଉଁ ପ୍ରଭାବ ଶରୀର ଉପରେ ପଡ଼ିଥାଏ, ତାହା ମଦ୍ୟପର ସାଧାରଣ ସହନଶୀଳତା ଆଧାରକୁ ନେଇ କୁହାଯାଇଛି । ଯେଉଁମାନେ ମଦ ପିଇବାରେ ଅଭ୍ୟସ୍ତ, ସେମାନେ ଅଧିକ ପିଇଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖାଇ ନଥାନ୍ତି ବା ଆଖିଦୃଶିଆ ପ୍ରଭାବ ତାଙ୍କଠାରେ ପରିଲକ୍ଷିତ ହୋଇ ନଥାଏ । କିନ୍ତୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ସ୍ପଷ୍ଟ ଜଣାପଡ଼େ ।
ଜଣେ ୧ରୁ ୨ ପେଗ୍ ପିଇଲେ ତାହାର ହୃତପିଣ୍ଡ ଗତି ବଢିବା ସହ ଶିରାପ୍ରଶିରା ପ୍ରସାରିତ ହୋଇଯାଏ । ତେଣୁ ଶରୀରର ଉତ୍ତାପ ବୃଦ୍ଧି ହୁଏ, ଆଉ ସେ ସାମାନ୍ୟ ଉତ୍ତେଜିତ ବି ହୁଏ ।
ମଧ୍ୟମ ପରିମାଣର ପିଇଲେ ଜଣେ ଅଧିକ ମାତ୍ରାରେ ଗପିବା ଆରମ୍ଭ କରେ । ଟିକେ ବଢିଗଲେ ଅବାନ୍ତର ତଥା ଅଶ୍ଳୀଳ କଥାମାନ କହିବା ଆରମ୍ଭ କରିଦିଏ ।
ଜଣେ ୪ରୁ ୬ ପେଗ୍ ମଦ୍ୟ ପିଇଲେ ମସ୍ତିଷ୍କ ଓ ସ୍ନାୟୁମାନଙ୍କ ଉପରେ ପ୍ରଭାବ ପଡେ଼ । ମସ୍ତିଷ୍କର ଯେଉଁ ଅଂଶ କିଛି ବିଚାର କରୁଥାଏ ତଥା ସିଦ୍ଧାନ୍ତ ଗ୍ରହଣ କରୁଥାଏ ତାକୁ ଏହା ବିଶୃଙ୍ଖଳିତ କରିପକାଏ । ଅସାବଧାନତା ସହିତ ଅନ୍ୟମାନଙ୍କ ସମ୍ମୁଖରେ ନିଜର ଶାଳୀନତାକୁ ଭୁଲିଯାଏ ମଣିଷ । ଏହା ମଧ୍ୟ ସ୍ନାୟୁତନ୍ତ୍ରୀର କୋଷମାନଙ୍କ କର୍ମଶୈଳୀରେ ପରିବର୍ତ୍ତନ ଘଟାଏ ।
୮ରୁ ୯ ପେଗ୍ ନେବାପରେ ପାଟି ଖନି ମାରିଯାଏ । କଥା ସବୁ ଅସ୍ପଷ୍ଟ ହୋଇଯାଏ । ଆଖିପତା ପଡ଼ିଯିବା ସହ ସେ ଆଖିରେ ଆଖି ମିଶାଇ କଥା ହୋଇପାରେନା । ଅଧିକ ପିଇଲେ ଯକୃତ ସାରାରାତି ସମସ୍ତ ମଦକୁ ନିଷ୍କାସନ କରି ପାରେନାହିଁ । ଫଳରେ ମଦ୍ୟପର ମୁଣ୍ଡ ବୁଲାଇଲା ଭଳି ଅନୁଭବ ସକାଳ ପର୍ଯ୍ୟନ୍ତ ବି ଥାଏ । ଏହାକୁ ହ୍ୟାଙ୍ଗଓଭର କୁହାଯାଏ ।
ଜଣେ ଯଦି ଦଶ ପେଗ୍ରୁ ଅଧିକ ମଦ ପିଏ, ସେ ଦୁର୍ଘଟଣାର ଶିକାର ହେବା ସ୍ୱାଭାବିକ ହୋଇପଡେ଼ । ଅଧିକ ମାତ୍ରାର ମଦ୍ୟପାନ ଉଭୟ ଶରୀର ଓ ମନ ଉପରେ ବିଷାଦର ଭାବ ସୃଷ୍ଟି କରିଥାଏ । ତେଣୁ ଜଣେ ଟଳମଳ ହେବା ସହ ନିଦରେ ବେଳେବେଳେ ବିଳିବିଳାଏ । ଶରୀରରେ ବିଷାକ୍ତ କ୍ରିୟା ସୃଷ୍ଟି କରେ । ଶରୀର ଯଥାଶୀଘ୍ର ଏହି ଅତ୍ୟଧିକ ମାତ୍ରାକୁ ମୂତ୍ର ମାଧ୍ୟମରେ ନିଷ୍କାସନ କରିଥାଏ । ତେଣୁ ସକାଳ ବେଳକୁ ଶରୀର ଜଳଶୂନ୍ୟ ହେବାପରି ଅନୁଭବ କରେ । ଏହା ଗୁରୁତର ମୁଣ୍ଡବ୍ୟଥାର ବି କାରଣ ହୋଇଥାଏ । ମଦ ପାଚନ ପ୍ରକ୍ରିୟାକୁ ଦୁର୍ବଳ କରାଇବା, ବାନ୍ତି କରାଇବା ସହ ବଦହଜମି କରିଥାଏ । ତେଣୁ ତରଳ ଝାଡ଼ା ହୋଇଥାଏ । ଏସବୁ ଠିକ୍ ସମୟରେ ଅଫିସ୍ କିମ୍ବା କଲେଜ ନଯିବାର କାରଣ ସହିତ ଆର୍ଥିକ ତଥା ମାନସିକ ଚାପ ବୃଦ୍ଧିର ବି କାରଣ ସାଜେ ।