ରାଜସ୍ଥାନର ସିକର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଛାତିଥରା ଖବର । ଜଣେ ବଡ଼ ଭାଇ ନିଜ ଛୋଟ ଭାଇକୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଛି । ବ୍ଲେଡରେ ସାନଭାଇର ଗଳା କାଟି ଚାଲିଥିଲାବେଳେ ସେଠାରେ ଉପସ୍ଥିତ ଲୋକେ କରୁଥିଲେ ଲାଇଭ ଭିଡ଼ିଓ । ସିକର ଜିଲ୍ଲାର ଦାନ୍ତାରାମଗଢରେ ଶୁକ୍ରବାର ଦିନ ଦ୍ଵିପ୍ରହରରେ ୨୧ ବର୍ଷୀୟ ଅଭିଯୁକ୍ତ ଯୁବକ ନିଜର ୧୦ ବର୍ଷର ଛୋଟ ଭାଇର ଗଳା କାଟି ହତ୍ୟା କରିଛି ।
ସୂଚନା ମୁତାବକ ୫୦ରୁ ଅଧିକ ଲୋକ ଏହି ଦୁଇ ଭାଇଙ୍କ ଲଢେଇ ଦେଖୁଥିଲେ । କେବଳ ସେତିକି ନୁହେଁ ବରଂ ଉପସ୍ଥିତ ଥିବା ସବୁ ଲୋକ ସେ ଘଟଣାକୁ ନିଜ ମୋବାଇଲରେ ଲାଇଭ ଭିଡ଼ିଓ କରୁଥିଲେ । କେତେକ ଲୋକଙ୍କ କହିବା କଥା ଯେ ଜଣାପଡ଼ିଲାନି କେତେବେଳେ ସେ ଭାଇର ଗଳା କାଟିଦେଲା । ରକ୍ତ ବାହାରିବା ପରେ ହିଁ ଘଟଣା ସାମ୍ନାକୁ ଆସିଲା । ୧୦ ବର୍ଷର ଉତ୍ତମ ଆଲୋରିଆ ନିଜ ଘରୁ ଗୋଟେ କିଲୋମିଟର ଦୂରରେ ଥିବା ସ୍କୁଲକୁ ଖାଇବାକୁ ଯାଉଥିଲା ଏବଂ ସେତିକିବେଳେ ନିଜ ବଡ଼ ଭାଇ ତାକୁ ଧରି ପୁରୁଣା ପାଟୱାର ଘର ସାମ୍ନାରେ ବ୍ଲେଡରେ ଗଳା କାଟି ହତ୍ୟା କରିଥିଲେ ।
ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ ଧରିଥିଲେ ଏବଂ ପଚାରିବାରୁ କାହିଁକି ଏପରି କଲ, ଅଭିଯୁକ୍ତ କହିଥିଲେ ଯେ ହଁ, ମୁଁ ତାକୁ ଗୋଟିଏ ବ୍ଲେଡରେ ଗଳା କାଟି ହତ୍ୟା କରିଛି, ଏକଥା ପୋଲିସକୁ ବି କହିବି । ତେବେ ଏହି ପୁରା ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗାଁଲୋକେ ଘଟଣା ସମ୍ପର୍କରେ ଖଚାରିଆବାସ ପୋଲିସ ଫାଣ୍ଡି ଏବଂ ଦାତ୍ତାରାମଗଡ଼ ଥାନାକୁ ଖବର ଦେଇଥିଲେ ।

୨୧ ବର୍ଷୀୟ ଅଭିଯୁକ୍ତ କୈଳାଶ ଚନ୍ଦ କହିଛନ୍ତି ଯେ ମୋ ଦାଦା ସବୁବେଳେ ମୋତେ ପରିହାସ କରୁଥିଲେ ଏବଂ ପିଲାବେଳେ ମୋତେ ସେ ପଢେଇ ବି ଦେଉନଥିଲେ, କହୁଥିଲେ ତୋତେ କିଛି ଜଣା ନାହିଁ । ଏହି କାରଣରୁ ମୁଁ ତାଙ୍କ ପୁଅକୁ ମାରିଦେଲି । ତେବେ ଅଭିଯୁକ୍ତ କୈଳାଶ ଅନେକ ଦିନ ହେଲାଣି ସାନଭାଇ ଉତ୍ତମକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ସେପଟେ ବହୁ ବର୍ଷ ଧରି ଦୁଇ ପରିବାର ମଧ୍ୟରେ କଳହ ଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।