ସଂସ୍କାର : ନିର୍ବାଚନୀ ହିଂସା , ଏମିତି ଏକ ଘଟଣା ଯାହା ଘଟଣାସ୍ଥଳରେ ରକ୍ତାତ ପରିବେଶ ସୃଷ୍ଟି କରିଥାଏ। ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ପରେ ଅଥବା ନିର୍ବାଚନ ଦିନ ଅନେକ ସ୍ଥାନରେ ରକ୍ତପାତ ପରିବେଶ ସୃଷ୍ଟି ହୋଇଥାଏ। ଆଉ ଏହି ରକ୍ତପାତ ଏତେ ଭୟଙ୍କର ହୋଇଥାଏ ଯେ, କେହି କେବେ କଳ୍ପନା ବି କରିନଥିବେ। ନିର୍ବାଚନୀ ହିଂସାରେ କାହିଁ କେତେ ପରିବାର ଛାରଖାର ହୋଇଯାଇଛି ତାହାର କିଛି କଳନା ନାହିଁ। ତେବେ ନିକଟରେ ଏମିତି ଏକ ଘଟଣା ଘଟିଛି , ଯାହାକୁ ପଢିବା ପରେ ଆପଣ ଅବାକ୍ ହୋଇଯିବେ। ଗଣମାଧ୍ୟମର ସୂଚନା ଅନୁଯାୟୀ, ନିର୍ବାଚନରେ ହାରିଯିବାରୁ ପ୍ରତିପକ୍ଷ ଦଳ ପରାଜିତ ପ୍ରାର୍ଥୀଙ୍କୁ ଟାହିଟାପରା କରିଥିଲେ। ଗାଁ ଦାଣ୍ଡ ମଝିରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଗଳା ଧକ୍କା ବି ମାରିଲେ। ଆଉ ଏହି ସବୁ ଅପମାନ ନିଜ ଉପରେ ହେଲେ କିଏ ବା ସହିବ କହିଲେ। ନିଜ ଦଳ ହିଁ ଶେଷରେ ତାଙ୍କୁ ଗାଁ ଦାଣ୍ଡ ମଝିରେ ଅପମାନ କଲା। ଶେଷରେ ଏହି ଅପମାନଙ୍କୁ ବରଦାସ୍ତ କରିପାରିଲେ ନାହିଁ ଦମ୍ପତି। ଆଉ ନିଜର ବହୁମୂଲ୍ୟ ପ୍ରାଣକୁ କ୍ଷଣିକରେ ସମାପ୍ତ କରିଦେଲେ।
ଅପମାନଙ୍କୁ ସହିନପାରି ଆତ୍ମହତ୍ୟା କରିଦେଲେ ନିର୍ବାଚନରେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ । ସ୍ୱାମୀଙ୍କ ଆତ୍ମହତ୍ୟା ଦେଖି ନିଜେ ବିଷ ପିଇଦେଲେ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ। ଆତ୍ମହତ୍ୟା କରିଥିବା ଏହି ଦମ୍ପତିଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ୧୩ତାରିଖ ସଂନ୍ଧ୍ୟାରେ ଭଦ୍ରକ ଜିଲ୍ଲା ପଦ୍ମପୁର ପଞ୍ଚାୟତରେ ବିଜେଡିର ବିଜୟ ଶୋଭାଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରାରେ ୧୮ନମ୍ବର ଜୋନର ବିଜୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟକୃଷ୍ଣ ନାୟକଙ୍କ ସମେତ ସରପଞ୍ଚ, ସମିତି ସଭ୍ୟା, ସ୍ଥାନୀୟ ବିଧାୟକ ଏବଂ ଦଳୀୟ ପ୍ରାର୍ଥୀମାନେ ସାମିଲ ଥିଲେ । ପଦ୍ମପୁର ବଜାରରୁ ଶୋଭାଯାତ୍ରା ବାହାରି ବଡଅଗାପୁର ଗାଁ ପର୍ଯ୍ୟନ୍ତ ଯାଇଥିଲା। ତେବେ ନିର୍ବାଚନରେ ହାରିଥିବା ବିଜେଡି ପ୍ରାର୍ଥୀନି ସୁମତି ପରିଡାଙ୍କ ଘର ଏହି ଗାଁରେ । ବିଜେଡିର ଶୋଭାଯାତ୍ରା ଚାଲିଥିବା ବେଳେ ପ୍ରାର୍ଥୀନୀ ସୁମତିଙ୍କ ସ୍ୱାମୀ ରମାକାନ୍ତ ପରିଡା ଘର ବାହାରେ ଛିଡା ହୋଇଥିଲେ। ସେହି ସମୟରେ ରମାକାନ୍ତଙ୍କୁ ଦେଖି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମର୍ଥକମାନେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ରମାକାନ୍ତ କାନ୍ଧରେ ପକାଇଥିବା ଗାମୁଛାକୁ ଧରି ଟଣାଓଟରା କରିଥିଲେ। ଗାଁ ଦାଣ୍ଡ ମଝିରେ ତାଙ୍କୁ ଅପମାନ କରିଥିଲେ।ଶେଷରେ ରମାକାନ୍ତ ଏହି ଘଟଣାକୁ ସହ୍ୟ କରିନପାରି ଘରକୁ ଆସି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ସ୍ୱାମୀଙ୍କ ଏହି ଅବସ୍ଥା ଦେଖି ସହିନପାରି ବିଷ ପିଇଦେଲେ ସୁମତି। ତେବେ ଗାଁ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ରମାକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ସୁମତୀଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏବେ ସୁମତୀ କଟକର ଏକ ଘରୋଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ସେପଟେ, ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ ଦାବିରେ ଶବ ରଖି ରାସ୍ତା ରୋକ କରିଥିଲେ ଗ୍ରାମବାସୀ । ଅନ୍ୟପଟେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ନିର୍ବାଚନରେ ପରାଜିତ ବିଜେଡି ପ୍ରାର୍ଥୀନୀ ଏବଂ ତାଙ୍କ ସ୍ୱାମୀ ଆତ୍ମହତ୍ୟା ଭଳି ରାସ୍ତା ଆପଣାଇବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନରେ ଜିତି ବି ବିଜେଡି ଦଳ ନିଜର ପରାଜିତ ପ୍ରାର୍ଥୀଙ୍କୁ ଏହିଭଳି ଗାଁ ଦାଣ୍ଡ ମଝିରେ ଅପମାନ କରିବା କେତେଦୂର ଯର୍ଥାର୍ଥ ଆପଣ ଚିନ୍ତା କରନ୍ତୁ।