କରୋନା ଭାଇରସ ଏବେ ଓଡ଼ିଶାରେ । କ୍ୟାପିଟାଲ ହସ୍ପିଟାଲ ଚିହ୍ନଟ କରିଛି କରୋନା ଭାଇରସ ସଂକ୍ରମିତ ପ୍ରଥମ ରୋଗୀ । ତାଙ୍କ ଚିକିତ୍ସା ଓ ନମୁନା ପରୀକ୍ଷଣକୁ ନେଇ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ଭଉଣୀଙ୍କର କହିବାନୁଯାୟୀ ସେ ଇଟାଲୀକୁ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ । ଇଟାଲୀର ରୋମ୍ ସହରରେ ସେ ପାଠ ପଢା ସହିତ ସେଠାରେ ପାର୍ଟ ଟାଇମ ଚାକିରି ମଧ୍ୟ କରିଥିଲେ । ମିଲାନୋ ୟୁନିଭର୍ସିଟିରେ କମ୍ପୁଟର ସାଇନ୍ସରେ ସେ ଏମ.ଟେକ. କରୁଥିଲେ । ସେଠାରୁ ମାର୍ଚ୍ଚ ୫ ତାରିଖରେ ବାହାରି ମାର୍ଚ୍ଚ ୬ ରେ ଦିଲ୍ଲୀ ବିମାନଘାଟୀରେ ପହଞ୍ଚିଥିଲେ ଏବଂ ସେଠି ତାଙ୍କର ପରୀକ୍ଷଣ ବି ହେଇଥିଲା । ତା’ପରେ ସେ ମାର୍ଚ୍ଚ ୧୨ ରେ ଦିଲ୍ଲୀରୁ ବାହାରି ମାର୍ଚ୍ଚ ୧୩ ରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଭୁବନେଶ୍ୱରରେ ପହଞ୍ଚିଲା ପରେ ତାଙ୍କୁ ହେଲା ସାମାନ୍ୟ ଜ୍ଵର । ପରୀକ୍ଷଣ କଲେ ଓ ରିପୋର୍ଟରେ ଟାଇଫଏଡ ବାହାରିଲା । ତଥାପି ପରିବାର ଲୋକେ ବିପଦ ପ୍ରତି ସତର୍କତା ଦେଖାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଲେ ।
ଗୋଟିଏ ଦିନ ରଖିଲା ପରଦିନ ରକ୍ତ ନମୁନା ପଠାଇବେ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ କହିଲେ । କିନ୍ତୁ ରକ୍ତ ନନେଇ ଗଳା ଓ ନାକରୁ ସ୍ଵାବ୍ ନେଲେ ବୋଲି ବ୍ୟକ୍ତି ଜଣକ ତାଙ୍କ ଭଉଣୀ ସହିତ ଫୋନରେ କଥା ହେଇଛନ୍ତି ବୋଲି ତାଙ୍କ ଭଉଣୀ କୁହନ୍ତି । ସଞ୍ଜବେଳକୁ କାଳେ ଡାକ୍ତର ଏ.ସି. ସାହୁ ଉକ୍ତ ଆକ୍ରାନ୍ତକୁ କହିଲେ, “ଘରକୁ ପଳାଅ । ରିପୋର୍ଟରେ ନେଗେଟିଭ ବାହାରିଛି ।“ ଖାଲି କହିଲେନି, ବରଂ ଜବରଦସ୍ତି ପଠେଇବାକୁ ଚେଷ୍ଟା ମଧ୍ୟ କଲେ । ୧୦ ଦିନ ପାଇଁ କିଛି ଔଷଧ ଲେଖିଦେଇ ସେ ବାଧ୍ୟ କରୁଥିଲେ ଚିକତ୍ସାଳୟ ଛାଡ଼ିଦେବାକୁ ହେଲେ ଜ୍ଵରରେ ଦୁର୍ବଳ ଥିବା ଯୋଗୁ ତାଙ୍କ ମୁଣ୍ଡ ବୁଲାଇଛି ଓ ସେ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ସାଲାଇନ ନେବାକୁ । ସାଲାଇନ ନେଲାପରେ ଯଦି ଭଲ ଲାଗେ ତେବେ ଯାଇ ଘରକୁ ଯିବି ବୋଲି କହିଥିଲେ ସେ । ଏହାପରେ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଗଲା । ମଧ୍ୟ ରାତିରେ ସେ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ବୋଲି ଡାକ୍ତର ଘୋଷଣା କଲେ ।
ବର୍ତ୍ତମାନ ତାଙ୍କ ଭଉଣୀ କିନ୍ତୁ ଗଣମାଧ୍ୟମ ସାମ୍ନାରେ ନିଆଁ ଓଗାଳୁଛନ୍ତି । ସମଗ୍ର ଡାକ୍ତରୀ ପରୀକ୍ଷା ତଥା ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଦାୟୀ କରୁଛନ୍ତି । ତାଙ୍କ ଭାଇଙ୍କ ରିପୋର୍ଟ ରାତି ୯ ଟାରୁ ରାତି ୧୨ ଟା ଭିତରେ କେମିତି ବଦଳିଯିବ ପ୍ରଶ୍ନର ଉତ୍ତରରେ ସେ ଆଉଥରେ ପରୀକ୍ଷଣ ପାଇଁ ଦାବି କରିଛନ୍ତି । ବ୍ୟକ୍ତିଙ୍କର ଭଉଣୀଙ୍କ କହିବାନୁଯାୟୀ, ସରକାର କରୋନା ଭାଇରସ ପରୀକ୍ଷଣ ପାଇଁ କାଳେ ୨ ଶହ କୋଟି ଟଙ୍କା ଅନୁମୋଦନ କରିଥିବାବେଳେ ହସ୍ପିଟାଲର ବେଖାତିର ଭାବ ମଣିଷ ଜୀବନକୁ ନେଇ ଖେଳ ଖେଳିବା ଦର୍ଶାଉନି କି ? ପରିବାରକୁ ନଜଣେଇ ଗଣମାଧ୍ୟମରେ ପ୍ରଚାରକୁ ବି ସେ ପ୍ରଚୁର ନିନ୍ଦା କରିଛନ୍ତି ଓ ସବୁର ଉତ୍ତର କ୍ୟାପିଟାଲ ହସ୍ପିଟାଲର ଉଚ୍ଚ କର୍ତ୍ତୁପକ୍ଷ ରଖନ୍ତୁ ବୋଲି ଦାବି ଜଣେଇଛନ୍ତି ।
Source : OTV Odisha