୬୦ ବର୍ଷରେ ପ୍ରଥମ ଥର ! ସମୁଦ୍ର ଲହଡ଼ି ଭିତରୁ ବାହାରିଲା ଆଲୋକ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ନେଇ ବିଶ୍ଵର ଅଧିକାଂଶ ଦେଶରେ ଲକ୍‌ଡାଉନ୍ । ଗୋଟିଏ ପଟେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି, ମଣିଷଙ୍କୁ ଭୟରେ କବଳିତ କରି ଘରେ ବନ୍ଦ କରି ରଖିଛି । ଅନ୍ୟପଟେ ବିସ୍ତାର ଭାବେ ଲକଡାଉନ ଯୋଗୁ ଜଳବାୟୁରେ ବିରାଟ ପରିବର୍ତ୍ତନ । ପ୍ରଦୂଷଣ ମାତ୍ରା ହ୍ରାସ, ନଈନାଳ ପାଣି ଆହୁରି ସ୍ୱଚ୍ଛ ଓ ଜନଗହଳିପୂର୍ଣ୍ଣ ସ୍ଥାନ ଏବେ ଶୂନ୍‌ଶାନ୍‌ ହେବାରେ ଲାଗିଛି । ଏସବୁ ଭିତରେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରୁଛି ।

ବିଶ୍ଵବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁ ଅତ୍ୟାବଶ୍ୟକ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ସନ୍ଧ୍ୟା ହେଲେ ଯେଉଁଠି ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଜମୁଥିଲା, ସେଠି ଏବେ ଖାଁଖାଁ ନିର୍ଜନ । ଏ ସମୟରେ, ସମୁଦ୍ରରେ ଥିବା ଜୀବମାନଙ୍କ ମଧ୍ୟରେ ଏକ ନିଆରା Bioluminescent ଘଟଣା Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି । Bioluminescentର ଅର୍ଥ କୌଣସି ଜୀବଙ୍କ ଶରୀରରୁ ଆଲୋକ ବାହାରିବାକୁ ବୁଝାଇଥାଏ । ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଜଳରେ ଥିବା ଅଣୁଜୀବମାନଙ୍କର ବାୟୋକେମିକାଲ୍ ପ୍ରତିକ୍ରିୟା ଯୋଗୁ ଏଭଳି ଘଟଣା ଘଟିଥାଏ ।

ଘଟଣାଟି ଯଦିଓ ସୋମବାର ଦିନର କିନ୍ତୁ ସୋସିଆଲ୍‌ ମିଡିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ସମୁଦ୍ର ତରଙ୍ଗରୁ ରଙ୍ଗୀନ ଆଲୋକ ବାହାରିବା ଘଟଣା ଜଣାପଡ଼ିବା ପରେ ଲକ୍‌ଡାଉନ୍‌ ସତ୍ତ୍ୱେ ଏଭଳି ନିଆରା ଦୃଶ୍ୟ ଦେଖିବା ପାଇଁ Acapulco ସମୁଦ୍ର ବେଳାଭୂମିରେ ଅନେକ ଲୋକେ ପହଞ୍ଚି ନିଜ କ୍ୟାମେରାରେ ଏହି ଦୃଶ୍ୟ କଏଦ କରିଥିଲେ । ସୂଚନା ଅନୁଯାୟୀ ଏଭଳି ଘଟଣା ୬୦ ବର୍ଷ ପୂର୍ବେ ଥରେ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ମେକ୍ସିକୋର Acapulco ଟୁରିଜିମ୍ ବୋର୍ଡ କହିଛି ଯେ Puerto Marqués ସମୁଦ୍ର ବେଳାଭୂମିରେ ଘଟିଥିବା ଏହି ଘଟଣା ଅଣୁଜୀବମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବାୟୋକେମିକାଲ୍ ପ୍ରତିକ୍ରିୟାର ଏକ ଉପାଦାନ ମାତ୍ର ।

ଏଭଳି ଅଦ୍ଭୁତ ଦୃଶ୍ୟର ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବାପରେ ଲୋକମାନେ କିନ୍ତୁ ଭିନ୍ନ ଭିନ୍ନ କମେଣ୍ଟସ୍‌ ଦେଇଛନ୍ତି ଓ କହିଛନ୍ତି ଯେ ସମୁଦ୍ର କୂଳରେ ଲୋକଙ୍କ ଉପସ୍ଥିତ କମ୍‌ ଥିବା ଯୋଗୁ ଏଭଳି ଘଟଣା ଘଟିବା ସମ୍ଭବପର ହୋଇଛି ।

Leave a Reply

Your email address will not be published. Required fields are marked *