“ଜଳିଗଲା ଶ୍ରୀମନ୍ଦିର ନେତ, ମାଡ଼ି ଆସୁଛି ମହା ବିପତ୍ତି ! ଦେଖନ୍ତୁ ହୁ ହୁ ହୋଇ ନେତ ଜଳୁଥିବା ଦୃଶ୍ୟ”, ଏମିତି ଲେଖା ସହିତ ଜଳୁଥିବା ନେତର ଭିଡ଼ିଓ ଗତକାଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । କେହି କହିଲେ ପବନର ବେଗରେ କେବଳ ଯେ ମହାଦୀପର ନିଆଁହୁଳା ନେତରେ ନିଆଁ ଲାଗିବାର ଭ୍ରମ ସୃଷ୍ଟି କରୁଛି ତ କେହି କହିଲେ ଜଳୁଛି ଶ୍ରୀମନ୍ଦିର ନେତ । ପୁରୀ ଶ୍ରୀମନ୍ଦିର ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଖଣ୍ଡନ କରିଛନ୍ତି ବୋଲି ବି ଜଣେକେହି ଭାଇରାଲ ହୋଇଥିବା ଭିଡ଼ିଓରେ କମେଣ୍ଟ ଦେଲେ । ଆଉକେହି କମେଣ୍ଟରେ ଲେଖିଲେ ଶିବରାତ୍ରିରେ ମହାଦୀପ ଉଠିବାର ଦୃଶ୍ୟ ହୋଇଥାଇ ପରେ ଏହି ଭିଡ଼ିଓ ।
ସାରା ବିଶ୍ଵ ଯେତେବେଳେ କରୋନା ମହାମାରୀ (ମହାବିପତ୍ତି) ସାଙ୍ଗରେ ଲଢୁଛି, ସେଠି ଏଭଳି ଗୋଟିଏ ଛୋଟ ଘଟଣାକୁ ବଡ଼ କରିବାର ମାନେ କିଛି ନାହିଁ । କାରଣ, ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଲା ଯେ ଘଟଣାରେ ସତ୍ୟତା ଅଛି ସତ କିନ୍ତୁ ସେମିତି କୌଣସି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇନଥିଲା ।
ଏକ ପରମ୍ପରାକୁ ପାଥେୟ କରି ପ୍ରତିଦିନ ସଞ୍ଜଆଳତି ବେଳେ କାଳେ ଶ୍ରୀଜୀଉ ଚୂଡ଼ାକୁ ଚଢି ଆଳତି କରନ୍ତି ପଣ୍ଡା ପୁରୋହିତ । ସଞ୍ଜବେଳିଆ ପବନ ସହିତ ଆଳତି ଅଗ୍ନି ସଂଯୋଗ କେବଳ ଏକ ସଂଯୋଗ ମାତ୍ର ଥିଲା । ଏହା ସହିତ ବିପତ୍ତି ଆସିବାର କୌଣସି ସମ୍ପର୍କ ନାହିଁ ବୋଲି ଶ୍ରଦ୍ଧାଳୁମାନେ ଜାଣିନେବା ଉଚିତ । ସ୍ଵଚ୍ଛତା, ସଜାଗତା, ସହଯୋଗିତା ସହିତ ସତର୍କତା ହିଁ କରୋନା ମହାମାରୀ ଭଳି ବିପତ୍ତିରୁ ଉଦ୍ଧାର କରିବ । ଏଭଳି ସମୟରେ ବିପତ୍ତି ସହିତ ଲଢିବା ପାଇଁ ଶ୍ରୀଜଗନ୍ନାଥ ସଭିଙ୍କୁ ସାହସ ଓ ସାମର୍ଥ୍ୟ ଦିଅନ୍ତୁ, ଅନ୍ଧବିଶ୍ଵାସରୁ ବର୍ତ୍ତନ୍ତୁ ଲୋକେ ।