ଦୁନିଆରେ ଏମିତି ଅନେକ ମାମଲା ଶୁଣିବାକୁ ମିଳୁଛି, ଯେଉଁଠି କେଉଁ ଲୋକ ପାଣିକୁ ଭୟ କରୁଛି ତ କିଏ ଅନ୍ଧାରକୁ ଭୟ! ଏହି ରୋଗକୁ ଫୋବିଆ କୁହାଯାଏ। ହେଲେ କେବେ ଖାଦ୍ୟକୁ ଦେଖି ଡରିବାର କଥା ଶୁଣିଛନ୍ତି କି? କାରଣ ଖାଦ୍ୟ ଏପରି ଏକ ଜିନିଷ ଯାହାବିନା ଜୀବନ ଅସମ୍ଭବ। ମାତ୍ର ଏକ ୩ ବର୍ଷର ଶିଶୁ ସହ ଏମିତି କିଛି ଘଟଣା ଘଟିଛି। ବର୍ଷେରୁ ଅଧିକ ସମୟ ଧରି ଶିଶୁଟି ପାଟିରେ ଖାଦ୍ୟ ଖାଇବା ବନ୍ଦ କରିଦେଇଛି। ଏକ ନଳୀ ସାହାଯ୍ୟରେ ତାକୁ ଖାଇବାକୁ ଦିଆଯାଉଛି।
ଇଂଲଣ୍ଡର ଏକ ୩ବର୍ଷୀୟ ଶିଶୁ ଓଲିବର ଟେଲର ଖାଦ୍ୟକୁ ଦେଖିଲେ ଡରଛି। ତାକୁ ଯେତେବେଳେ ୨ବର୍ଷ ହୋଇଥିଲା ସେତେବେଳେ ସେ କୁପୋଷଣ ଓ ଡିହାଇଡ୍ରେସନର ଶିକାର ହୋଇଥିଲା। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବିକ ଓଲିବର ଏଭୋଡେଣ୍ଟ ରେସ୍ଟ୍ରିକ୍ଟିଭ ଫୁଡ ଇନଟେକ୍ ଡିଜଅର୍ଡର (AFRID)ରେ ପୀଡିତ। ଯେଉଁଥିରେ ମଣିଷକୁ ଖଫାୟକୁ ଦେଖିଲେ ଡର ଲାଗିଥାଏ। ଅଥବା ଖାଇବା ପରେ ସ୍ୱାଦ ନେଇ ଅଜବ ପ୍ରକାର ରିଆକ୍ସନ ଆସିଥାଏ।
ଓଲିବରର ମା’ଙ୍କ କହିବା ଅନୁଯାୟୀ, ଏହା ଏକ ଖାଦ୍ୟ ଡିଜଅର୍ଡର, ମାତ୍ର ୨ବର୍ଷରୁ କମ ବୟସର ଶିଶୁ ବି ଏହାର ଶିକାର ହେଉଛନ୍ତି। ଏହା ଭୟ ସୃଷ୍ଟି କରୁଛି। ସେ ଖାଇବାକୁ ଭୟ କରୁଛି। ଓଲିବର ଖାଦ୍ୟ ପଦାର୍ଥକୁ ଆଦୌ ପସନ୍ଦ କରେନି। ତାକୁ ମେସିନ ସାହାଯ୍ୟରେ ଖାଦ୍ୟ ଦିଆଯାଏ। ସେ ଏବେ ଟ୍ୟୁବ ଜରିଆରେ ଖାଦ୍ୟ ଖାଉଛି।
ଗତବର୍ଷ ଏପ୍ରିଲରେ ତା ପେଟରେ ଏକ ସ୍ଥାୟୀ ଟ୍ୟୁବ ଲଗାଯାଇଥିଲା। ତେବେ ଏହି ଟ୍ୟୁବ ପାଇଁ ବର୍ଷେ ଭିତରେ ତାର ଓଜନ ବଢିଛି। ଏବେବି ତାର ଖାଦ୍ୟ ପ୍ରତି ଭୟ କମିନି। ଯାହାକୁ ନେଇ ଆମେ ଚିନ୍ତିତ। ଖାଇବା କଥା କହିଲେ ସେ ଛାନିଆଁରେ ଥରିବାକୁ ଲାଗେ, ଏଥି ପାଇଁ ଆମେ କିଛି କରିପାରୁନୁ। ଓଲିବରର ବାପା-ମା ଏମା ଓ ମୌଟି ଟେଲର ଏହି ଘଟଣାକୁ ସାମନାକୁ ଆଣିଛନ୍ତି କାରଣ ସବୁ ଅବିଭାବକ ଏନେଇ ଅବଗତ ହେବା ଉଚିତ।