ମହାମାରୀ କରୋନା ସଂକ୍ରମିତ ହେଲେ ପ୍ରମୁଖ ଲକ୍ଷଣ ରୂପେ ପାଟିରୁ ସ୍ୱାଦ ଚାଲିଯାଏ ଏବଂ ହ୍ରାସ ପାଏ ଘ୍ରାଣ ଶକ୍ତି । ତେବେ ଭାଇରାଲ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ଏହି ସମାନ ଲକ୍ଷଣ ଦେଖିବାକୁ ମିଳିଥାଏ । ଯଦି ଆପଣ ମଧ୍ୟ ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ହରାଇ ବସିଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ନିତିଦିନ ଘରେ ବ୍ୟବହାର ହେଉଥିବା କିଛି ଖାଦ୍ୟ ବ୍ୟବହାର କରି ଆପଣ ବି ଫେରାଇ ଆଣିପାରିବେ ହଜି ଯାଇଥିବା ଆପଣଙ୍କ ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି । ଏନେଇ ବିଶେଷଜ୍ଞମାନେ କଣ କହିଛନ୍ତି ଆସନ୍ତୁ ଜାଣିବା …
କମଳା ଖାଇବା ଦ୍ଵାରା କେବଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ ନାହିଁ ବରଂ ଏହା ଶୁଙ୍ଘିବା କ୍ଷମତାକୁ ମଧ୍ୟ ବଢ଼ାଇଥାଏ । ଭିଟାମିନ-ସି ଭର୍ତ୍ତି କମଳା ଚୋପାକୁ ଯଦି ଅଳ୍ପ ଭାଜି ଶୁଙ୍ଘା ଯାଏ ତେବେ ଘ୍ରାଣ ଶକ୍ତି ଫେରି ଆସିଥାଏ । ତେବେ ଏହି ଉପାୟକୁ ଆପଣାଇବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ କରିବା ବିଧେୟ ।
ରସୁଣ ଆଣ୍ଟି ଭାଇରାଲ ଏବଂ ଇମ୍ୟୁନ ବୁଷ୍ଟର ହିସାବରେ ଜଣାଶୁଣା । ଏମିତିକି ରସୁଣ ଖାଇବା ଦ୍ଵାରା ଶରୀରରେ ଯନ୍ତ୍ରଣା ଓ ଗୋଡ଼ହାତ ଫୁଲିବା ସମସ୍ୟା ଦୂର ହୋଇଥାଏ । ତେବେ ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ପାଣିରେ ଲବଙ୍ଗ ଏବଂ ରସୁଣକୁ ମିଶାଇ ଗରମ କରି ସେବନ କଲେ ଅଥବା ଲେମ୍ବୁ ରସ ସହିତ ମିଶାଇ ଖାଇଲେ ପାଟିର ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରି ଆସିଥାଏ ।
ଲଙ୍କା ଗୁଣ୍ତରେ ଥିବା କ୍ୟାପ୍ସାଇସିନ ଆମ ଓଲଫ୍ୟାକ୍ଟ୍ରି ସେଂସିସକୁ ଠିକ୍ କରି ବନ୍ଦ ହୋଇଯାଇଥିବା ନାକକୁ ଖୋଲିବାରେ ସହାୟକ ହୋଇଥାଏ । ତେବେ ଲଙ୍କା ଗୁଣ୍ଡକୁ ବ୍ୟବହାର କରିବା ପୂର୍ବରୁ ଏଥିରେ ଅଳ୍ପ ପାଣି କିମ୍ବା ମହୁ ମିଶାଇ ବ୍ୟବହାର କରନ୍ତୁ ।

ସେହିପରି ଜୁଆଣି ଥଣ୍ଡା ଏବଂ ସଂକ୍ରମଣ ସହ ଲଢ଼ିବା ପାଇଁ ସବୁଠୁ ଲାଭଦାୟକ ବୋଲି ପ୍ରମାଣିତ । ହେଲେ ଏ କରୋନା କାଳରେ ଜୁଆଣି ଶୁଙ୍ଘିବା ଶକ୍ତି ବଢ଼ାଇବାରେ ବେଶ ସହାୟକ ହୋଇଥାଏ । ଚାମଚେ ଜୁଆଣିକୁ ଏକ ଛୋଟ କପଡ଼ାରେ ବାନ୍ଧି ପୁଡ଼ିଆ ତିଆରି କରନ୍ତୁ ଏବଂ ଦୀର୍ଘ ପ୍ରଶ୍ଵାସ ସାଙ୍ଗରେ ତାକୁ ଶୁଙ୍ଘନ୍ତୁ । ଦିନରେ ଏଭଳି ୨ରୁ ୩ ଥର କରିବା ଦ୍ୱାରା ଦେଖିବେ ଆପଣଙ୍କ ଘ୍ରାଣ ଶକ୍ତି ଆପଣ ଫେରି ପାଇ ସାରିଥିବେ ।
ଜଡ଼ା ତେଲ ମଧ୍ୟ ଏଥିପାଇଁ ଖୁବ୍ ଉପାଦେୟ । ଥଣ୍ଡା ଜ୍ୱରରେ ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ବି ଜଡ଼ା ତେଲ ବ୍ୟବହାର କରିହେବ । ବୁନ୍ଦାଏ ଜଡ଼ା ତେଲ ନାକରେ ପକାନ୍ତୁ ଏବଂ ଦୀର୍ଘ ପ୍ରଶ୍ଵାସ ନିଅନ୍ତୁ । ନାକ ଖୋଲିବା ସହିତ ଆପଣଙ୍କ ଶୁଙ୍ଘିବା ଶକ୍ତି ମଧ୍ୟ ଫେରିଆସିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।