ମାତ୍ର ୨୦ ଟଙ୍କା ଲିଭାଇ ଦେଲା ଗୋଟିଏ ଜୀବନ ଦୀପ : ଜୀଅନ୍ତା ଜାଳି ମାରିଦେଲେ ଜଣେ ଯୁବକକୁ

ସଭ୍ୟତା ଆଗକୁ ବଢୁଥିବା ବେଳେ ହଜୁଛି ମାନବିକତା । ମାତ୍ର ୨୦ ଟଙ୍କା ପାଇଁ ଜଣେ ଯୁବକର ପ୍ରାଣ ଯିବା ଯେତିକି ଆଚମ୍ବିତ କରୁନି ତାକୁ ଜିଅନ୍ତା ଜାଳି ମାରି ଦିଆଗଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ତେବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳ ପୋଲିସ ଫାଣ୍ଡି ଅଧିନସ୍ଥ ଧାନମଣ୍ଡଳ ଗାଁରେ ଘଟିଯାଇଛି ଏପରି ଏକ ଅମାନବୀୟ ଘଟଣା । ୨୦ ଟଙ୍କାର ପାନ ନେଇ ବାକି ଟଙ୍କା ନଦେଇ ଥିବାରୁ ଜୀବନରୁ ମାରିଦେବାକୁ ପଛାଇଲେ ନାହିଁ ପାନ ଦୋକାନୀ ।

ଘଟଣା ଘଟିଛି ନଭେମ୍ବର ୮ ତାରିଖ ଦିନ ଅପରାହ୍ନ ୩ଟା ବେଳେ । ହରିଜନ ସାହିର ମୃତ ସୁଶାନ୍ତ ମଲ୍ଲିକ (ମୁନା) ନିଜ ଘର ପାଖରେ ଥିବା ପାନ ଦୋକାନକୁ ଯାଇଥିଲେ । ଦୋକାନୀ ନାରାୟଣ ଜେନା (ପପୁ)ଙ୍କୁ ବାକିରେ କୋଲଡ୍ରିଂକ୍ସ ପିଇବାକୁ ମାଗିଥିଲେ । ପପୁ ମୁନାକୁ ପ୍ରଥମ ବାକିଆ ଟଙ୍କା ମାଗିବାରୁ ମୁନା ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ପରେ ସେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ମୁନାକୁ ।

ଖବର ମୁତାବକ ଏ ଘଟଣା ଘଟିବା ପୂର୍ବରୁ ଉଭୟଙ୍କ ଭିତରେ କଥା କଟାକଟି ସହିତ ଖୁବ୍ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଆଉ ତାପରେ ଅଭିଯୁକ୍ତ ପାନ ଦୋକାନୀ ପପୁ, ମୁନାକୁ ଏକ ଧାରୁଆ ଭୁଜାଲି ଦେଖାଇବା ସହିତ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଇଥିଲା ।

ତେବେ ଗୁରୁତର ଅବସ୍ଥାରେ ଥିବା ପୀଡ଼ିତ ସୁଶାନ୍ତଙ୍କର ଗତକାଲି କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ସେପଟେ ପୋଲିସ ପପୁର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କାରଣ ଅଭିଯୁକ୍ତର ପରିବାର ଲୋକେ ମୃତକଙ୍କ ପରିବାରକୁ ଧମକ ଚମକ ଦେବା ସହିତ ଟଙ୍କା ଦେଇ ପୋଲିସକୁ ଚୁପ୍ କରେଇଛି ବୋଲି କହିଛି ମୃତକଙ୍କ ପରିବାର ।ଏତିକିରେ ସରିନି ଘଟଣା । ମୃତକଙ୍କ ପରିବାର ଲୋକେ ବଡ଼ଚଣା ଥାନାରେ ଶବ ଅଟକ ରଖି ଧାରଣାରେ ବସିଛନ୍ତି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *