ଇଡିଙ୍କ ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ ଦସ୍ତାବିଜ୍‌ର ଫୋରେନ୍‌ସିକ୍‌ ରିପୋର୍ଟ, ଏବେ ହେବ ମହା ଖୁଲାସା…

ସଂସ୍କାର : ଦୁଇଟି ପର୍ଯ୍ୟାୟରେ ୧୩ ଦିନର ରିମାଣ୍ଡ ସରିବା ପରେ ସୋମବାରଠାରୁ ଝାରପଡ଼ା ଜେଲକୁ ଫେରିଯାଇଛନ୍ତି ବ୍ଲାକମେଲର ଅର୍ଚ୍ଚନା ନାଗ। ଏପରି ସ୍ଥିତିରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅର୍ଚ୍ଚନାଙ୍କ ଡିଜିଟାଲ ଦସ୍ତାବିଜ୍‌ର ଫୋରେନ୍‌ସିକ୍‌ ରିପୋର୍ଟ ମିଳିଛି। ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲ୍ୟାବ୍‌ ପକ୍ଷରୁ ଇଡିକୁ ଏହା ଦିଆଯାଇଛି।

ଏହି ପ୍ରଥମ ପର୍ଯ୍ୟାୟର ରିପୋର୍ଟରେ ୧୨ଟି ସାମ୍ପଲ ରିପୋର୍ଟ ରହିଛି। ଏଥିମଧ୍ୟରେ ଅର୍ଚ୍ଚନାଙ୍କ ମୋବାଇଲ, ଲାପଟପ୍‌, ପେନ୍‌ଡ୍ରାଇଭ ଓ ଟ୍ୟାବ୍‌ର ତଥ୍ୟ ରହିଛି। ତେବେ ରିମାଣ୍ଡ ସମୟରେ ଅର୍ଚ୍ଚନା ଏହି ମାମଲା ସଂକ୍ରାନ୍ତରେ ମୁହଁ ଖୋଲୁ ନ ଥିବାରୁ ଇଡି ଡିଜିଟାଲ ଦସ୍ତାବିଜ୍‌ ମାଗିଥିଲା। ହେଲେ ଫରେନ୍‌ସିକ୍‌ ଲ୍ୟାବ୍‌ ପକ୍ଷରୁ ଏହା ଦେବାକୁ ବିଳମ୍ବ କରାଯାଇଥିଲା। ଏ ନେଇ ଇଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

archana nag

ବର୍ତ୍ତମାନ ଅର୍ଚ୍ଚନାଙ୍କ ରିମାଣ୍ଡ ସରିବା ପରେ ଏହି ରିପୋର୍ଟ ମିଳିଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି। ଜାଣି ଜାଣି ଫୋରେନ୍‌ସିକ୍‌ ଲ୍ୟାବ୍‌ ପକ୍ଷରୁ ଏହି ରିପୋର୍ଟ ଦିଆଯାଉ ନଥିବା କୁହାଯାଉଛି। ସେହିପରି ଖଣ୍ଡଗିରି ଥାନା ପୋଲିସ ମଧ୍ୟ ଏହି ଡିଜିଟାଲ ଦସ୍ତାବିଜ୍‌ ରିପୋର୍ଟ ଆଣିଛି। ଏହି ରିପୋର୍ଟ ଆଧାରରେ ମାମଲାର ତଦନ୍ତ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

ତେବେ ଦୀର୍ଘଦିନର ଜେରା ଓ ଚଢ଼ାଉ ସତ୍ତ୍ୱେ ଏଯାଏ ବ୍ଲାକ୍‌ମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର କାଣିଚାଏ ଗୁମର ଖୋଲିପାରି ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାତ୍ର କିଛି ଲକ୍ଷ ଟଙ୍କାର ବେଆଇନ କାରବାର ଧରିଥିଲେ ମଧ୍ୟ ରାଜ୍ୟର ଏହି ବଡ଼ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ଘଟଣାରେ ପ୍ରଭାବଶାଳୀ ନେତା, ଅଫିସର, ପୋଲିସ ଓ ବ୍ୟବସାୟୀଙ୍କ ସମ୍ପୃକ୍ତିର ପ୍ରମାଣ ପାଇପାରି ନାହିଁ।

ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ୯ ଦିନିଆ ରିମାଣ୍ଡରୁ ଆଉ ୨ଦିନ ବାକି ଅଛି। ସେ ଗତ ୧୪ ତାରିଖରୁ ରିମାଣ୍ଡରେ ଆସି ଜେରାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ୨୨ ତାରିଖରେ ତାଙ୍କର ରିମାଣ୍ଡ ସରିବାର ଥିବାରୁ ତାଙ୍କଠୁ ଆଉ କିଛି ତଥ୍ୟ ହାସଲ କରିବାକୁ ଇଡି ଆଶା ରଖିଛି। ତେବେ ଏହି ଡିଜିଟାଲ ଦସ୍ତାବିଜ୍‌ର ରିପୋର୍ଟ ମିଳିବା ପରେ ଇଡି ତା’ର ତଦନ୍ତକୁ ଅଧିକ କ୍ରିୟାଶୀଳ କରିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *