ଟିକ୍‌ଟକ୍‌ ଭିଡ଼ିଓ ସୁଟିଂ କରୁଥିଲେ : ହଠାତ୍ ଦୁର୍ବୁତ୍ତ ଆସି ଗୁଳି ଚଳାଇଲେ ଯେଉଁ ଗୁଳିକାଣ୍ଡରେ ପ୍ରାଣ ହରାଇଲେ ୪ ଜଣ ଟିକ୍‌ଟକ୍‌ର

ମଙ୍ଗଳବାର ସକାଳେ କରାଚି ଗାର୍ଡେନ୍ ଅଞ୍ଚଳର ଆଙ୍କଲେସରିଆ ହସ୍ପିଟାଲ ନିକଟରେ ଜଣେ ମହିଳାଙ୍କ ସମେତ ୪ ଜଣ ଟିକ୍‌ଟକ୍ ଭିଡ଼ିଓ ସୁଟିଂ କରୁଥିବା ସମୟରେ ଗୁଳି ମାରି ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି । SSP ସରଫରାଜ ନୱାଜ ଶେଖଙ୍କ କହିବାନୁସାରେ ସମସ୍ତ ୪ ଜଣ ଯାକ ସୋସିଆଲ ମିଡ଼ିଆରେ ବିଶେଷ କରି ଟିକ୍‌ଟକ୍ ଭିଡ଼ିଓରେ ସକ୍ରିୟ ଥିଲେ । ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ମୁସ୍କାନ ଏବଂ ଆମୀର ଉଭୟ ବନ୍ଧୁ ଥିଲେ ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ଅନୁସାରେ ଅଧିକାରୀ କହିଛନ୍ତି ଯେ ମୁସ୍କାନ ଆମୀରଙ୍କୁ ଫୋନ କରି ସୋମବାର ରାତିରେ ସାକ୍ଷାତ କରିବାକୁ କହିଥିଲେ । ଆମୀର ଏକ କାରର ବ୍ୟବସ୍ଥା କରି ତାଙ୍କ ସାଙ୍ଗ ରେହାନ ଏବଂ ସାଜଜାଦଙ୍କୁ ସାଙ୍ଗରେ ନେଇ ମସ୍କାନଙ୍କୁ ଭେଟିବାକୁ ଆସିଥିଲେ । ୪ ଜଣ ଯାକ ସହରରେ ବୁଲାବୁଲି କରିଥିଲେ ଏବଂ ଆମୀର ସହିତ ମୁସ୍କାନ ଟିକ୍‌ଟକ୍ ଭିଡ଼ିଓ ପ୍ରସ୍ତୁତ କରିଥିଲେ ।

ତେବେ ପ୍ରାୟ ସକାଳ ୪:୪୮ ରେ ଗାର୍ଡେନ୍‌ର ଆଙ୍କଲେସରିଆ ହସ୍ପିଟାଲ ନିକଟରେ ସେହି ୪ ଜଣଙ୍କୁ ଆକ୍ରମଣ କରାଯାଇଥିଲା । କାର ଭିତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ବାକି ୩ ଜଣଙ୍କୁ କାର ବାହାରେ ଗୁଳି କରାଯାଇଥିଲା । ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ସତ ହେଲେ ସେତେବଳକୁ ସମସ୍ତେ ମୃତ୍ୟୁବରଣ କରିସାରିଥିଲେ । ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣା ଘଟିଥିବା ସ୍ଥାନରୁ ଏକ ୯ ମିମିର ଖାଲି ପିସ୍ତଲ ମିଳିଥିଲା । ତେବେ ମୃତକଙ୍କ ପରିବାର ଥାନାରେ ପହଞ୍ଚି ଏନେଇ ଏକ FIR ଦାଖଲ କରିଥିଲେ ।

SSP ଶେଖ କହିଛନ୍ତି ଯେ ରେହାନ ଏବଂ ସାଜଜଦ୍ ପୂର୍ବରୁ ଏକ ଟିକ୍‌ଟକ୍ ଭିଡ଼ିଓ କରିଥିଲେ ଯେଉଁଥିରେ ସେମାନେ ସହରର ଇଟିହାଦ୍ ଟାଉନ୍ ଅଞ୍ଚଳରେ ଏରିଆଲ୍ ଗୁଳି ଚଳାଇଥିବାର ନଜର ଆସିଥିଲେ । ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହି ଦୁଇ ଜଣଙ୍କ ବିରୋଧରେ ପୋଲିସ FIR ପଞ୍ଜିକରଣ କରିଥିଲା । ଏହି ଗୁଳିକାଣ୍ଡ ପୂର୍ବ ଶତ୍ରୁତାରୁ ହିଁ ହୋଇଛି ବୋଲି ଜଣାପଡ଼ିଛି । ତେବେ ହତ୍ୟାକାରୀଙ୍କ ପ୍ରକୃତ ଉଦ୍ଦେଶ୍ୟ ଏବଂ ପରିଚୟ ଅନୁସନ୍ଧାନ କରାଯାଉଥିବାବେଳେ ଉକ୍ତ ଘଟଣାର କୌଣସି ସାକ୍ଷୀ ନାହାନ୍ତି ବୋଲି SSP କହିଛନ୍ତି ।

Leave a Reply

Your email address will not be published. Required fields are marked *