ସଂସ୍କାର : ସାମ୍ବାଦିକ ଅରିନ୍ଦମ ଦାସଙ୍କର ହେଲା ଶେଷକୃତ୍ୟ ସଂମ୍ପନ୍ନ। ନିଜର ପୈତୃକ ଗାଁରେ ହୋଇଛି ତାଙ୍କର ଅନ୍ତିମ ସଂସ୍କାର। ଅରିନ୍ଦମକୁ ଝୁରୁଛି ତାଙ୍କର ଗାଁ ମାଟି। କେନ୍ଦୁଝର ତୁରୁମୁଙ୍ଗା ଥାନା ରାଇକଳା ଗାଁ ନିକଟ ବୈତରଣୀ ନଦୀକୂଳ ଶ୍ମଶାନରେ ଅରିନ୍ଦମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ରାଜ୍ୟ ଗଣମାଧ୍ୟମର ସୁତ୍ର ଅନୁସାରେ, ଅରିନ୍ଦମଙ୍କ କକା ପୁଅ ଭାଇ ମାନସ ରଞ୍ଜନ ଦାସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। କାନ୍ଦ ବୋବାଳିରେ ଫାଟି ପଢୁଛି ସାରା ଗାଁ । ଆଉ ଏଭଳି ଏକ ସାହସୀ ସାମ୍ବାଦିକଙ୍କୁ ହରାଇଥିବାରୁ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ମୁଣ୍ଡଳି ବ୍ୟାରେଜ୍ ନିକଟରେ ଦନ୍ତା ହାତୀ ପାଣି ଭିତରେ ଫସିଯାଇଥିଲା। ଆଉ ହାତୀକୁ ଉଦ୍ଧାର କରିବାକୁ ପାଣି ଭିତରକୁ ଯାଇଥିଲେ ଓଡ୍ରାଫ୍ ଟିମ୍ । ତେବେ ଏହି ଓଡ୍ରାଫ୍ ଟିମ ସାଙ୍ଗରେ ୨ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଯାଇଥିଲା । ହେଲେ ପାଣିର ଅକାତ ସୁଅରେ ଓଡ୍ରାଫ୍ ଟିମ୍ ସହ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ୍ ଦାସ ମଧ୍ୟ ଭାସିଯାଇଥିଲେ। ଆଉ ଭାସିବାର କିଛି ସମୟ ପରେ ମୁଣ୍ଡଳି ବ୍ରିଜ୍ ନିକଟରୁ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର କରିବା ପରେ ତାଙ୍କୁ ନେଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ଭୋରରୁ ଅରିନ୍ଦମଙ୍କ ମୃତଦେହ ଗାଁରେ ପହଁଚିବା ପରେ ଦେଖା ଦେଇଥିଲା ଶୋକାକୂଳ ପରିବେଶ। ଗତକାଲି ଘଟଣା ପରଠାରୁ ଗାଁରେ ଚୁଲି ଜଳିନାହିଁ। ଅରିନ୍ଦମଙ୍କ ପତ୍ନୀ ଏବଂ ମା ସମ୍ପୂର୍ଣ ବାକଶୂନ୍ୟ ହୋଇପଡିଛନ୍ତି । ଅରିନ୍ଦମଙ୍କ ପରିବାରରେ ତାଙ୍କର ବିଧବା ମା, ୨ ବର୍ଷର ପୁଅ ଏବଂ ସ୍ତ୍ରୀ ଅଛନ୍ତି। ତେବେ ଅରିନ୍ଦମଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସମ୍ପୁର୍ଣ୍ଣ ପରିବାର ଅସହାୟ ହୋଇ ଭାଙ୍ଗିପଡିଛନ୍ତି।