ଶ୍ରୀଗଣେଶଙ୍କୁ ତୁଳସୀ ଦେବୀ କାହିଁକି ଅଭିଶାପ ଦେଲେ ? ଜାଣନ୍ତୁ ଏହା ପଛର କାହାଣୀ …

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ଦିନ ଘରେ ଘରେ ଗଣପତି ଭଗବାନଙ୍କୁ ପ୍ରତିଷ୍ଠିତ କରି ଆଗାମୀ ୧୦ଦିନ ଯାଏଁ ପୂର୍ଣ୍ଣ ଭକ୍ତି ସହିତ ପୂଜା କରାଯାଇଥାଏ । ଭଗବାନ ଗଣେଶଙ୍କ ସହ ଜଡ଼ିତ ଅନେକ କଥାବସ୍ତୁ ପୁରାଣରେ ଦେଖିବାକୁ ମିଳେ । ସେଥିମଧ୍ୟରୁ ଗଣପତିଙ୍କୁ ତୁଳସୀଙ୍କ ଅଭିଶାପ ଗୋଟିଏ । ଆସନ୍ତୁ ଜାଣିବା ଏ କାହାଣୀ ବିଷୟରେ :

ବ୍ରହ୍ମବ୍ୟବର୍ତ୍ତ ପୁରାଣ ଅନୁଯାୟୀ ମାଆ ପାର୍ବତୀ ସନ୍ତାନ ପାଇବା ପାଇଁ ଏକ ପୁଣ୍ୟକ ବ୍ରତ ରଖିଥିଲେ । ଏହି ବ୍ରତ କରିଥିବା ଯୋଗୁ ହିଁ ଗଣେଶ ଭଳି ସନ୍ତାନ ପାଇଥିଲେ ପାର୍ବତୀ ବୋଲି ବିଶ୍ୱାସ କରାଯାଏ । କେବଳ ସେତିକି ନୁହେଁ ଯେତେବେଳେ ସବୁ ଭଗବାନ ଗଣେଶଙ୍କୁ ଆଶୀର୍ବାଦ ଦେଉଥିଲେ, ସେ ସମୟରେ ଶନି ଦେବ ମୁଣ୍ଡ ନୁଆଁଇ ଠିଆ ହୋଇଥିଲେ । ଏହା ଦେଖି ମାତା ପାର୍ବତୀ ତାଙ୍କୁ ମୁଣ୍ଡ ନୁଆଁଇବାର କାରଣ ପଚାରନ୍ତେ ସେ ଉତ୍ତର ଦେଲେ ଯେ ଯଦି ସେ ଗଣେଶଙ୍କୁ ଆଖି ଉଠାଇ ଦେଖନ୍ତି ତେବେ ଶରୀରରୁ ତାଙ୍କ ମୁଣ୍ଡ ଅଲଗା ହୋଇଯାଇ ପାରେ । କିନ୍ତୁ ପାର୍ବତୀଙ୍କ ଆଦେଶରେ ଶନି ଦେବ ଗଣେଶଙ୍କୁ ଅନାଇ ତାଙ୍କୁ ଦେଖିଲେ, ଫଳସ୍ୱରୂପ ଗଣେଶଙ୍କ ମୁଣ୍ଡ ଗଣେଶଙ୍କ ଶରୀରରୁ ଅଲଗା ହୋଇଯାଇଥିଲା ।

ବ୍ରହ୍ମବ୍ୟବର୍ତ୍ତ ପୁରାଣରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯେତେବେଳେ ଶନି ଦେବଙ୍କୁ ଦେଖିବା ପରେ ଭଗବାନ ଗଣେଶଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇଯାଇଥିଲା, ଠିକ ସେତିକିବେଳେ ଭଗବାନ ଶ୍ରୀହରି ତାଙ୍କ ଗରୁଡ଼କୁ ଉତ୍ତର ଦିଗ ଆଡ଼କୁ ଫିଙ୍ଗିଦେଲେ ଯାହା ପୁଷ୍ପଭଦ୍ରା ନଦୀରେ ପାଖରେ ପଡ଼ିଲା । ସେଠାରେ ଏକ ହାତୀ ନବଜାତ ଶିଶୁ ସହିତ ଶୋଇଥିଲା । ଶ୍ରୀବିଷ୍ଣୁଙ୍କ ଗରୁଡ଼ ସାହାଯ୍ୟରେ ଛୁଆ ହାତୀର ମୁଣ୍ଡ କାଟି ଗଣେଶଙ୍କ ଦେହରେ ଲଗାଇଥିଲେ ଓ ଗଣେଶ ପୁନଃ ଜୀବନ ପାଇଥିଲେ ।

ବ୍ରହ୍ମବ୍ୟବର୍ତ୍ତ ପୁରାଣ ଅନୁଯାୟୀ ଭଗବାନ ଶିବ ଥରେ କ୍ରୋଧିତ ହୋଇ ସୂର୍ଯ୍ୟ ଭଗବାନଙ୍କୁ ତ୍ରିଶୂଳ ଧରି ଆକ୍ରମଣ କରିଥିଲେ । ଶିବଙ୍କ ଏପରି ବ୍ୟବହାରରେ ସୂର୍ଯ୍ୟ ପିତା ଭଗବାନ ଶିବଙ୍କ ଉପରେ ଅତ୍ୟଧିକ କ୍ରୋଧ ପ୍ରକାଶ କରିଥିଲେ ଓ ଶିବଙ୍କୁ ଅଭିଶାପ ଦେଇଥିଲେ ଯେ ଯେପରି ଭଗବାନ ଶିବ ତାଙ୍କ ପୁଅ ସୂର୍ଯ୍ୟ ଶରୀରକୁ କ୍ଷତି ପହଞ୍ଚାଇଛନ୍ତି, ଠିକ୍ ସେହିପରି ଦିନେ ତାଙ୍କ ପୁଅ ଗଣେଶଙ୍କ ଶରୀର ମଧ୍ୟ କେହି ଜଣେ କାଟି ଦେବ ।

ଏହାବ୍ୟତୀତ ଏକ କିମ୍ବଦନ୍ତୀ ମଧ୍ୟ ଅଛି ଯେ ଦିନେ ତୁଳସୀ ଦେବୀ ଗଙ୍ଗା ଘାଟ ଦେଇ ଯାଉଥିଲେ । ସେତେବେଳେ ଗଣେଶ ସେଠାରେ ଧ୍ୟାନ କରୁଥିଲେ । ଗଣେଶଙ୍କୁ ଦେଖି ତୁଳସୀ ଦେବୀ ତାଙ୍କ ପ୍ରତି ଆକର୍ଷିତ ହୋଇ ଗଣେଶଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଗଣେଶ ପ୍ରସ୍ତାବକୁ ମନା କରିଦେବାରୁ ତୁଳସୀ ରାଗି ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କର ଦୁଇଟି ବିବାହ ହେବ । ଗଣେଶ ମଧ୍ୟ ତୁଳସୀ ଦେବୀଙ୍କୁ ଅଭିଶାପ ଦେଲେ ତାଙ୍କ ବିବାହ ଜଣେ ଅସୁର ସାଙ୍ଗରେ ହେବ । ଏହି ଅଭିଶାପ ଶୁଣି ତୁଳସୀ ଗଣେଶଙ୍କ ନିକଟରେ କ୍ଷମା ମାଗିଲେ ।

ଗଣେଶ ଶାନ୍ତ ହୋଇ ତୁଳସୀଙ୍କୁ କହିଲେ ଯେ ତୁମ ବିବାହ ଶଙ୍ଖଚୂର୍ଣ୍ଣ ରାକ୍ଷସ ସହିତ ହେବ କିନ୍ତୁ ତମେ ଏହାପରେ ଏକ ଉଦ୍ଭିଦର ରୂପ ନେବ । କଳିଯୁଗରେ ଜୀବନ ଏବଂ ମୋକ୍ଷ ଦେବା ପାଇଁ ତମେ ପୂଜିତ ହେବ, ମାତ୍ର ମୋ ପୂଜାରେ ତମେ ଲାଗିବ ନାହିଁ । ତେଣୁ ଭଗବାନ ଗଣେଶଙ୍କୁ ତୁଳସୀ ଅର୍ପଣ କରିବା ଶୁଭ ମାନନ୍ତିନି ।

Leave a Reply

Your email address will not be published. Required fields are marked *