ଡିଜିଟାଲ ମାଧ୍ୟମରେ ଲୁଟ୍ ନୂଆ କଥା ନୁହେଁ । ବିଶେଷ କରି ଏହି କରୋନା ମହାମାରୀ ଯୋଗୁ ଚାଲିଥିବା ଲକଡାଉନ ସମୟରେ ଡିଜିଟାଲ ଲୁଟେରା ବେଶୀ ସକ୍ରିୟ ହେଇଯାଇଛନ୍ତି । ତେବେ ଏଥର କ୍ରେଡିଟ୍ କାର୍ଡ ବ୍ୟବହାର କରି ରିୱାର୍ଡ ପଏଣ୍ଟସ୍ ବଦଳରେ ଗିଫ୍ଟ ଦେବା ବାହାନାରେ ଠକି ଯାଇଛନ୍ତି CBI କର୍ମଚାରୀ । ଅଭିଯୋଗ ପରେ ଦିଲ୍ଲୀ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସୂଚନାଥାଉ ଯେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାଗରିକ ସୁରକ୍ଷା କର୍ମଚାରୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ଗିରଫ ପରେ ଅଭିଯୁକ୍ତମାନଙ୍କ ପାଖରୁ ନଗଦ ୬ ଲକ୍ଷ ଟଙ୍କା, ୫ଟି ମୋବାଇଲ୍ ଫୋନ, ଗ୍ରାହକଙ୍କ ଡାଟା ଥିବା ୪ଟି ଲ୍ୟାପ୍ଟପ୍, ୧୨ ସିମ୍ କାର୍ଡ ଏବଂ ୬ଟି ATM କାର୍ଡ ଜବତ ହୋଇଛି । ଏହାସହିତ ସେହି ଅଭିଯୁକ୍ତମାନଙ୍କର ୮ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଛି ଯାହାକୁ ପୋଲିସ ଫ୍ରିଜ୍ କରିଦେଇଛି ।
ତେବେ ଏହି ଡିଜିଟାଲ ଲୁଟେରା ଗ୍ୟାଙ୍ଗ ଦେଶରେ ପ୍ରାୟ ୨୫୦ ବ୍ୟକ୍ତିଙ୍କୁ ଠକି ସାରିଛନ୍ତି । ମାତ୍ର ଗ୍ୟାଙ୍ଗଟି ସାମ୍ନାକୁ ଆସିଲେ ସେତେବେଳେ ଯେଉଁ ସମୟରେ ଜଣେ CBI କର୍ମଚାରୀଙ୍କୁ ଠକିଲେ । CBI କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ରିୱାର୍ଡ ପଏଣ୍ଟସ୍ ବଦଳରେ ବଦଳରେ ଗିଫ୍ଟ ମିଳିବା ନେଇ ଏକ ଫୋନ କଲ୍ ତାଙ୍କ ପାଖକୁ ଆସିଥିଲା । କଲ୍ କରିଥିବା ବ୍ୟକ୍ତି କହିଥିଲେ ଯେ ଗିଫ୍ଟ ପାଇବାକୁ ହେଲେ ପ୍ରଥମେ ୮୯୭୦ ଟଙ୍କା ପୈଠ କରିବାକୁ ହେବ । ଦେଇଥିବା ଆକାଉଣ୍ଟରେ ଟଙ୍କା ପୈଠ କଲାପରେ କିନ୍ତୁ ଫୋନ କରିଥିବା ବ୍ୟକ୍ତି ଆଉ କଲ୍ ରିସିଭ୍ କରି ନଥିଲେ । ଫଳରେ ଠକେଇର ଶିକାର ହୋଇଥିବା CBI କର୍ମଚାରୀ ଜଣଙ୍କ ଦିଲ୍ଳୀ ଲୋଧି କଲୋନି ପୋଲିସ ଷ୍ଟେସନ୍ରେ ଅଭିଯୋଗ କରିଥିଲେ ।