ବିଶ୍ଵାସ ଭାଙ୍ଗି ଭାଙ୍ଗି ଚାଲିଛି, ମହିଳାଙ୍କ ପାଇଁ ଚତୁର୍ପାର୍ଶ୍ଵ ଅସୁରକ୍ଷିତ ହେବାରେ ଲାଗିଛି । ପଶ୍ଚିମ ଚମ୍ପାରଣ ଜିଲ୍ଲା ବଗହାରେ ବିହାର ପୋଲିସ ପରୀକ୍ଷା ଦେବାକୁ ଯାଇଥିବା ଜଣେ ଛାତ୍ରୀଙ୍କ ସହିତ ଘଟିଛି ଅସହନୀୟ ଅପକର୍ମ । ପରୀକ୍ଷା ଦେଇ ଅଟୋରେ ଫେରିଲାବେଳେ ତାଙ୍କୁ ଅପହରଣ କରି ନେଇଥିଲା ଅଟୋ ଚାଳକ । ଦୁଷ୍କର୍ମ ପରେ କଲା ହତ୍ୟା । ଏତିକିରେ ମନ ବୁଝିଲାନି ଯେ ପରିଚୟ ଲୁଚେଇବାକୁ ଯାଇ ଢାଳିଲା ମୁହଁରେ ଏସିଡ । ଏହାପରେ ଫିଙ୍ଗିଦେଲା କେନାଲ କଡ଼କୁ ।
ଗୁରୁବାର ଦିନ ସେମରା ଥାନା ଅନ୍ତର୍ଗତ ପ୍ରତାପପୁର କେନାଲ ନିକଟରୁ ମିଳିଛି ଏକ ଗଳିତ ମୃତଦେହ । ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଏମିତି ଘଟିଥିଲା । ମାର୍ଚ୍ଚ ୧୪ ତାରିଖ ଦିନ ଚିଉଟାହା ଥାନା ଅଞ୍ଚଳର ଜଣେ ଛାତ୍ରୀ ବିହାର ପୋଲିସ ପରୀକ୍ଷା ଦେବାକୁ ବେତିୟା ଯାଇଥିଲେ । ପରୀକ୍ଷା ଦେଇ ଅଟୋରେ ଘରକୁ ଫେରୁଥିଲା ବେଳେ ଅଟୋ ଚାଳକ ତାଙ୍କୁ ଅପହରଣ କରି ଏକ ଶୂନଶାନ ଜାଗାକୁ ନେଇ ଯାଇଥିଲା । ସେଠାରେ ସେ ତାକୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ଏମିତିକି କାଳେ କେହି ଚିହ୍ନି ଦେବ ତେଣୁ ମୁହଁରେ ଢାଳିଥିଲା ଏସିଡ଼ ।

ତେବେ ମୃତଦେହ ଉଦ୍ଧାର ହେବାପରେ ରାମନଗର ଏସଡିପିଓ ଓ ଏସପି କିରଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଅଭିଯୁକ୍ତକୁ ଗିରଫ କରିବା ସହିତ ମୃତଦେହର ପରିଚୟ ପାଇଲେ ବୋଲି କହିଛନ୍ତି ଏସପି କିରଣ କୁମାର । ମାମଲାର ତଦନ୍ତ ଚାଲିଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଥିବା ବେଳେ ଗାଁ ଲୋକେ ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ।